କେନ୍ଦ୍ର ସରକାରଙ୍କ ବଡ ବୟାନ : କୌଣସି ପରିସ୍ଥିତିରେ ମଧ୍ୟ ପ୍ରତ୍ୟାହାର ହେବନି କୃଷି ଆଇନ, ଏବେ କଣ କରିବେ ଚାଷୀ ସଂଗଠନ?
8/01/2021 at 4:44 PM

ନୂଆଦିଲ୍ଲୀ ୦୮/୦୧ : କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଜାରି ରହିଥିବା ବୈଠକ ଶେଷ ହୋଇଛି । ଏହି ବୈଠକରେ ଚାଷୀମାନେ ପୁଣି ଥରେ ସେହି ପୁରୁଣା ଦାବିକୁ ଦୋହରାଇଥିଲେ । ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦୀର୍ଘଦିନ ଧରି ଦିଲ୍ଲୀ ରାଜରାସ୍ତାରେ ଧାରଣାରତ କୃଷକମାନଙ୍କୁ ଝଟକା ଲାଗିଛି ।
ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି ବୈଠକରେ, ନୂଆ କୃଷି ଆଇନକୁ କୌଣସି ପରିସ୍ଥିତିରେ ମଧ୍ୟ ପ୍ରତ୍ୟାହାର କରିବା ପାଇଁ ମନା କରିଦେଇଛନ୍ତି କେନ୍ଦ୍ର ସରକାର । ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ପିୟୁଷ ଗୋୟଲ ଉପସ୍ଥିତ ଥିଲେ । ଚାଷୀମାନଙ୍କ ସହ ଆଲୋଚନା କାଳରେ କୃଷି ମନ୍ତ୍ରୀ କହିଛନ୍ତି, ଏହି ଆଇନ ସାରା ଦେଶ ପାଇଁ ଲାଗୁ ହୋଇଛି ନା କି ନିର୍ଦ୍ଧିଷ୍ଟ କେଉଁ ରାଜ୍ୟ ପାଇଁ । ଦେଶର ଚାଷୀମାନେ ଏହି ନୂଆ ଆଇନକୁ ଭରପୁର ସମର୍ଥନ କରୁଛନ୍ତି ।
ଏହା ସହ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀ ନେତାମାନଙ୍କୁ ଦେଶର ହିତ ପାଇଁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଛନ୍ତି । ତେବେ ସରକାରଙ୍କ ସହ ଆଲୋଚନା ବେଳେ ଚାଷୀନେତାମାନେ କହିଥିଲେ ଯେ, କୃଷି ଆଇନକୁ ପ୍ରତ୍ୟାହାର କରାଯାଉ । ଏହା ଛଡା ଆଉ କୌଣସି କଥା ଶୁଣିବୁ ନାହିଁ । ଏହାର ଜବାବରେ ସରକାର ରୋକଠୋକ ଭାବେ ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବା ନାହିଁ ବୋଲି କହିଥିଲେ ।
ତେବେ ଆଗାମୀ ଦିନରେ ଚାଷୀମାନଙ୍କା ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । କାରଣ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେପଟେ ଦୀର୍ଘଦିନ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟମାନଙ୍କରେ ଧାରଣାରେ ବସିଥିବା ଚାଷୀମାନେ ଏବେ କେଉଁ ପନ୍ଥା ଆପଣାଉଛନ୍ତି ତାହା ଦେଖିବା ବାକି ରହିଲା ।