ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ କମିଟିକୁ ଖାରଜ କଲେ କୃଷକ ସଂଗଠନ, କହିଲେ- ଏଥିରେ ଥିବା ସମସ୍ତ ସଦସ୍ୟ ସରକାରଙ୍କ ସମର୍ଥକ

Published By : Prameya-News7 Bureau | January 12, 2021 IST

ନୂଆଦିଲ୍ଲୀ ୧୨।୦୧: ତିନି କୃଷି ଆଇନ ବିରୋଧରେ ଏକ ମାସରୁ ଅଧିକ ସମୟ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆସିଥିବା ନିଷ୍ପତ୍ତିକୁ ନେଇ ବିଚାର ବିମର୍ଶ ଚଳାଇଛନ୍ତି। ସୁପ୍ରିମକୋର୍ଟ ସମସ୍ୟାର ସମାଧାନ ପାଇଁ ଚାରି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି। କିନ୍ତୁ କୃଷକ ସଂଗଠନ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ମାନିବାକୁ ମନା କରି ଦେଇଛନ୍ତି। ସଂଗଠନର କହିବା କଥା ସର୍ବୋଚ୍ଚ ନ୍ୟାୟାଳୟଙ୍କ କମିଟିରେ ସମସ୍ତ ଲୋକ ସରକାରଙ୍କ ସମର୍ଥକ। ତେଣୁ ସଂଗଠନ କମିଟି ସାମ୍ନାକୁ ଯିବେ ନାହିଁ। କୃଷକ ସଂଗଠନ ଉକ୍ତ କମିଟିକୁ ଖାରଜ କରିଛନ୍ତି।

କ୍ରାନ୍ତିକାରୀ କିଷାନ ୟୁନିୟନର ପ୍ରମୁଖ ଦର୍ଶନ ପାଲ କହିଛନ୍ତି ଆମେ ଗତକାଲି ବିଳମ୍ବିତ ରାତ୍ରିରେ ବିଜ୍ଞପ୍ତି ଜାରି କରି କହିଥିଲେ ଯେ ଆମେ ମଧ୍ୟସ୍ଥତା ଲାଗି ସୁପ୍ରିମକୋର୍ଟଙ୍କ କମିଟି ଗଠନ ପ୍ରସ୍ତାବକୁ ସ୍ଵୀକାର କରିବେ ନାହିଁ। ଆମେ ଆତ୍ମ ବିଶ୍ଵାସର ସହ କହି ପାରିବୁ ଯେ, କେନ୍ଦ୍ର ନିଜ କାନ୍ଧରୁ ଭାର ହଟାଇବା ଲାଗି ସୁପ୍ରିମକୋର୍ଟଙ୍କ ଜରିଆରେ କମିଟି ଗଠନ କରିଛି।

wp:html /wp:html

କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଦେଶର କୃଷକ ନ୍ୟାୟାଳୟଙ୍କ ନିଷ୍ପତ୍ତିରେ ନିରାଶ। ଅଶୋକ ଗୁଲାଟିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି। ଗୁଲାଟି ହିଁ କୃଷି ଆଇନ ସୁପାରିସ କରିଥିଲେ ବୋଲି ଟିକାୟତ କହିଛନ୍ତି।

ରାକେଶ ଟିକାୟତ ଟ୍ଵିଟ୍ କରିଛନ୍ତି ଯେ, ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ଗଠିତ କମିଟିର ସମସ୍ତ ସଦସ୍ୟ ଖୋଲା ବଜାର ବ୍ୟବସ୍ଥା କିମ୍ଵା ଆଇନର ସମର୍ଥକ ଅଟନ୍ତି। ଅଶୋକ ଗୁଲାଟିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ହିଁ ଏହି ଆଇନ୍‌ ଲାଗୁ କରିବାକୁ ସୁପାରିସ୍ କରିଥିଲା। ତେଣୁ ଦେଶର କୃଷକ ଏହି ନିଷ୍ପତ୍ତିରେ ନିରାଶ ଅଛନ୍ତି।

ରାକେଶ ଟିକାୟତ କହିଛନ୍ତି କୃଷକଙ୍କ ଦାବି ନୂତନ କୃଷି ଆଇନ ରଦ୍ଦ କରାଯାଉ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ ତିଆରି ହେଉ। ଯେ ପର୍ଯ୍ୟନ୍ତ ଏହି ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଉପରେ ବିଚାର ବିମର୍ଶ କରି ଆସନ୍ତାକାଲି କୃଷକ ମୋର୍ଚ୍ଚା ଆଗାମୀ ରଣନୀତି ଘୋଷଣା କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.