ବର୍ଷା ପାଇଁ ବାବା ପିଟାରୀଙ୍କ ପୀଠରେ ୩୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ଅଖଣ୍ଡ ପୂଜା
5/08/2019 at 3:39 PM

ମୟୂରଭଞ୍ଜ ୫/୮: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ କାନଖା ଗ୍ରାମରେ ବର୍ଷା ନ ହେବାରୁ ଚିନ୍ତାରେ ଚାଷୀ । ଚାଷ ସମୟରେ ଆଦୌ ବର୍ଷା ନ ହେବାରୁ ଗ୍ରାମବାସୀଙ୍କ ଜଳି ଗଲାଣି ତଳି , ଫାଟି ଗଲାଣି ମାଟି , ନଷ୍ଟ ହେବାକୁ ବସିଲାଣି ଚାଷ । ବର୍ଷାକୁ ଅପେକ୍ଷା କରି କରି ଶେଷରେ କୌଣସି ଉପାୟ ନ ପାଇ ବାବା ପିଟାରୀଙ୍କ ପୀଠରେ ମଥା ଟେକିଛନ୍ତି ଚାଷୀ । କାନଖା ଗ୍ରାମର ପ୍ରତ୍ୟେକ ପରିବାରରୁ ଜଣେ ସଦସ୍ୟ ବାବା ପିଟାରୀଙ୍କ ପୀଠରେ ପୂଜାପାଠ କରୁଛନ୍ତି ।

ସାନ୍ତାଳି ସମ୍ପ୍ରଦାୟରେ ବିଶ୍ବାସ ରହିଛି ବାବା ପିଟାରୀଙ୍କ ପୀଠରେ ପୂଜା କଲେ ଇନ୍ଦ୍ରଦେବତା ବର୍ଷା କରିଥାନ୍ତି । ତେଣୁ ଯେଉବର୍ଷ ବର୍ଷା ନ ହୁଏ ଓ ମରୁଡି ଆଶଙ୍କା ଦେଖାଯାଏ କାନଖା ଗ୍ରାମର ଚାଷୀମାନେ ବାବା ପିଟାରୀଙ୍କ ପୀଠରେ ପୂଜାପାଠ କରିଥାନ୍ତି ।

ଏବର୍ଷ ଚାଷ ସମୟରେ ବର୍ଷା ନ ହେବାରୁ ଗ୍ରାମବାସୀ ଗତ ଶୁକ୍ରବାରରୁ ଆଜି ପର୍ଯନ୍ତ ଅର୍ଥାତ ୪ ଦିନ ହେଲାଣି ଦିନରାତି ବାବା ପିଟାରୀଙ୍କ ପୀଠରେ ପୂଜାପାଠ କରିଆସୁଛନ୍ତି । ଗ୍ରାମର ୨୬୦ ଜଣ ବ୍ୟକ୍ତି ଗୃହ ତ୍ୟାଗ କରି ପୀଠରେ ଦୀପଧୂପ ଦେଇ , ନଡିଆ ଫଟାଇ , ମାଦଳ ବଜାଇ ବର୍ଷା ପାଇଁ ପ୍ରାର୍ଥନା କରୁଛନ୍ତି । ଗ୍ରାମର ନାଇକେ , ମୁଖିୟା ଓ ମାଝିବାବା ମଧ୍ୟ ପୀଠରେ ପ୍ରାର୍ଥନା କରୁଛନ୍ତି ।

ପୂର୍ବରୁ ଯେଉଁ ଯେଉଁ ବର୍ଷ ବର୍ଷା ହୋଇନଥିଲା ସେ ବର୍ଷ ଗୁଡିକରେ ବାବା ପିଟାରୀଙ୍କ ପୀଠରେ ପୂଜା କରିବା ପରେ ବର୍ଷା ହୋଇଥିବା ଗ୍ରାମବାସୀ କହିଛନ୍ତି । ତେଣୁ ଏବର୍ଷ ମଧ୍ୟ ବର୍ଷା ହେବାର ଆଶା ଓ ବିଶ୍ବାସ ରଖି ଗ୍ରାମବାସୀ ଆଜିକୁ ୪ ଦିନ ହେଲା ଗତ ଶୁକ୍ରବାରରୁ ଦିନରାତି ବାବାଙ୍କ ପୀଠରେ ଦୀପଧୂପ ଦେଇ ବର୍ଷା ଡାକୁଛନ୍ତି ।