Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫୋନି ଉଜାଡିଦେବ ରବି ଫସଲ: ଚାଷୀ ଚିନ୍ତାରେ, ଜାଣନ୍ତୁ କଣ ହେବ କ୍ଷତି

2/05/2019 at 6:55 PM

ଭୁବନେଶ୍ବର୨|୫: ଅସମୟରେ ପ୍ରଳୟଙ୍କରୀ ବାତ୍ୟା ଆସୁଥିବାରୁ ଚାଷୀକୂଳଙ୍କ ଉପରେ ଭାଲେଣି ପଡିଛି । ରବି ଫସଲ ଅମଳ ସମୟରେ ଏହି ବାତ୍ୟା ଆସୁଥିବାରୁ ଚିନ୍ତାରେ ଚାଷୀକୂଳ। ବାତ୍ୟା ଦାଉରୁ ଫସଲ କେମିତି ସୁରକ୍ଷିତ ରଖିବେ, ପିଲା ଛୁଆଙ୍କୁ ଧରି କେଉଁ ସୁରକ୍ଷିତ ସ୍ଥାନରେ ରହିବେ ସେଇ ଚିନ୍ତା ଏବେ ଚାଷୀଙ୍କୁ ଘାରିଲାଣି। ରାୟଗଡାଠାରୁ, କନ୍ଧମାଳ , ମହାକାଳପଡାରୁ  ବାଲିପାଟଣାରେ ସବୁଠି ବାତ୍ୟା ଫୋନିକୁ ନେଇ ଚାଷୀ ଆତଙ୍କିତ।

ରବି ଫସଲ ଅମଳ ସମୟରେ ଏହି ବାତ୍ୟା ଆସୁଥିବାରୁ ଫସଲ ଉଜୁଡିଯିବାର ଆଶଙ୍କା ସୃଷ୍ଟି ହୋଇଛି।  ତିତିଲିର ଦୂର୍ଦ୍ଦଶା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଆଉ ଏକ ସାମୁଦ୍ରିକ ଝଡକୁ ନେଇ ରାୟଗଡାରେ ଚାଷୀକୁଳ ଭୟଭୀତ ହୋଇପଡ଼ିଛନ୍ତି। ବାତ୍ୟା ପ୍ରଭାବରେ ଆଜିଠୁ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ଠାରୁ ଧାନମଣ୍ଡି ଆରମ୍ଭ ହୋଇଛି। ମଣ୍ଡିକୁ ଧାନ ଆଣି ବିକ୍ରି କରିବାକୁ ବସି ରହିଛି ଚାଷୀ। ମଣ୍ଡିରେ ଶତାଧିକ ବସ୍ତାରେ ଟନ ଟନ ଧାନ ପଡି ରହିଛି। ଫୋନି ପ୍ରଭାବରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଯୋଗୁ ସେସବୁ ନଷ୍ଟ ହେବାର ଭୟ ଚାଷୀଙ୍କୁ ଘାରିଛି।

ସେପଟେ ଫୋନି ବାତ୍ୟାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ବାଦାମ ଚାଷୀ। ବାଦାମ ଅମଳ ସମୟରେ ବାତ୍ୟା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଫସଲ ଅମଳ  କରିବା ପାଇଁ ରାତିଦିନ ଏକାକାର କରିଦେଇଛନ୍ତି ଚାଷୀ।

ସେହିପରି ବିରି ଓ ମୁଗ ଚାଷୀ ବି ଚିନ୍ତାରେ। ଝାଳବୁହା ପରିଶ୍ରମ କରି ଚାଷ କରିଥିବା ଫସଲ ଏବେ ଉଜୁଡିବାକୁ ବସିଛି। ବାତ୍ୟା ଦାଉରୁ କେମିତି ଫସଲକୁ ଅମଳ କରିବେ ସେଇ ଚିନ୍ତା ଚାଷୀଙ୍କୁ ଘାରିଛି।

ତିତିଲି ବାତ୍ୟାର ଭୟ ମନରୁ ନ ଲିଭୁଣୁ ପୁଣି ଆଉ ଏକ ସାମୁଦ୍ରିକ ଝଡ ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଲାଣି। ଫୋନିର ପ୍ରଭାବ କଣ ରହିବ ସେନେଇ ଆଶା ଆଶଙ୍କାରେ ଚାଷୀକୂଳ।

   Related Posts