ମନ୍ଦିରରେ ବିଜେପି ରାଜ୍ୟ ଉପ ସଭାପତି ଓ ନେତାଙ୍କୁ ବନ୍ଧକ ରଖିଲେ କୃଷକ, ଚକାରୁ କାଢି ଦେଲେ ହାଓ୍ଵା: ବୁଝାଇ ବୁଝାଇ ନାକେଦମ ପୋଲିସ

Published By : Prameya-News7 Bureau | November 05, 2021 IST

ରୋହତକ ୦୫।୧୧: କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନର ସବୁଠୁ ଅଧିକ ପ୍ରଭାବ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି। ଏହି କ୍ରମରେ ହରିୟାଣା ବିଜେପିର ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନୀଷ ଗ୍ରୋଭର ଶୁକ୍ରବାର ସକାଳ ୧୦ଟାରେ  ହରିୟାଣାର ରୋହତକ ଜିଲ୍ଲାର କିଲୋଇ ଗାଁକୁ ପୂଜା କରିବାକୁ ଯାଇଥିଲେ। ହେଲେ ଯେମିତି କୃଷକ ଜାଣିଲେ ଯେ, ବିଜେପି ନେତା ଆସିଛନ୍ତି, କୃଷକ ସଂଗଠନ ମନ୍ଦିରରେ ପହଞ୍ଚି ବିଜେପି ନେତାଙ୍କୁ ବନ୍ଧକ ରଖିଛନ୍ତି। ପୋଲିସ ବୁଝେଇ ବୁଝେଇ ନାକେଦମ ହୋଇଗଲାଣି। ତଥାପି କୃଷକ ବୁଝିବାକୁ ପ୍ରସ୍ତୁତ ନାହାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଗସ୍ତରେ ଅଛନ୍ତି। ରାଜ୍ୟର ପ୍ରତି ଜିଲ୍ଲାରେ ସ୍ଥିତ ଶିବ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ରଖାଯାଇଥିଲା। ରୋହତକର କିଲୋଇ ଗାଁ ଶିବ ମନ୍ଦିରର ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମନୀଷ ଗ୍ରୋଭରଙ୍କ ସମେତ ଅନେକ ବିଜେପି ନେତା ଏଥିରେ ଯୋଗ ଦେବାକୁ ଆସିଥିଲେ। ସେହି ସମୟରେ କୃଷି ଆଇନର ବିରୋଧ କରୁଥିବା କୃଷକମାନେ ବିଜେପି ନେତାଙ୍କୁ ବନ୍ଧକ କରିଛନ୍ତି। ଏହା ପରେ ବଡ ସଂଖ୍ୟାରେ ପୋଲିସ ବଳକୁ ଘଟଣାସ୍ଥଳକୁ ଡକାଯାଇଥିଲା।

{"id":538906,"sizeSlug":"full","linkDestination":"none"}

କେବଳ ଏତିକି ନୁହେଁ କୃଷକମାନେ ବିଜେପି ନେତାଙ୍କ ଗାଡି ଚକାରୁ ହାଓ୍ଵା କାଢି ଦେଇଛନ୍ତି। ମନ୍ଦିର ପରିସରରେ ଲାଗିଥିବା ଟିଭି ସ୍କ୍ରିନର ତାର ବି କାଟି ଦେଇଛନ୍ତି। କୃଷକ ନେତାଙ୍କୁ ବନ୍ଧକ କରିବା ସମୟରେ ମୁଖ୍ୟ ଦ୍ଵାରରେ ପଥର ରଖି ଦେଇଛନ୍ତି। ଟ୍ରାକ୍ଟର ଡାଲା ଜରିଆରେ ରାସ୍ତାକୁ ଅବରୋଧ କରି ରଖିଛନ୍ତି।  ନେତା କ୍ଷମା ମାଗିଥିଲେ ମଧ୍ୟ ଅସନ୍ତୁଷ କୃଷକ କିଛି ଶୁଣିବାକୁ ନାରାଜ।  ପୋଲିସ କୃଷକଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୃଷକ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଗତ ଚାରି ଘଣ୍ଟା ଧରି ନେତା ମନ୍ଦିରରେ ଫଶି ରହିଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରେ ମାହୋଲ ଉତ୍ତେଜନାପୂର୍ଣ୍ଣ ରହିଛି।  ସ୍ଥାନୀୟ ଅଞ୍ଚଳର କୃଷକ ଟ୍ରାକ୍ଟର ଧରି କିଲୋଇ ଗାଁରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.