ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
4/12/2020 at 6:25 PM

ନୂଆଦିଲ୍ଲୀ ୦୪/୧୨: ଶୁକ୍ରବାର ଘୋଷଣା, ମଙ୍ଗଳବାର ଭାରତ ବନ୍ଦ। ଦିଲ୍ଲୀ ବର୍ଡରରେ ବିଭିନ୍ନ ଦାବି ନେଇ ୯ ଦିନ ହେଲା ଗର୍ଜୁଛନ୍ତି ଚାଷୀ। ଆନ୍ଦୋଳନକୁ ତୀବ୍ର କରିବା ଲକ୍ଷ୍ୟରେ ଚାଷୀ ସଂଗଠନ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ନିୟମ ପ୍ରତ୍ୟାହାର ପାଇଁ କୃଷକ ସଂଗଠନ ସରକାରଙ୍କ ସାମ୍ନାରେ ଦାବି କରିଆସୁଛନ୍ତି। ଗତକାଲି ସରକାରଙ୍କ ସହ ବୈଠକ ବେଳେ ଏହି ଦାବି ମଧ୍ୟ ଜଣାଇ ଦିଆଯାଇଛି। କିନ୍ତୁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନଥିବା ବେଳେ ଡିସେମ୍ବର ୮ରେ ଭାରତ ବନ୍ଦ କରିବାକୁ ଘୋଷଣା କରିଛୁ ବୋଲି ଭାରତୀୟ କିଷାନ ସଂଗଠନର ସାଧାରଣ ସଂପାଦକ ହରବିନ୍ଦର ସିଂହ ଲଡଖ୍ବାଲ କହିଛନ୍ତି ।
ଏହା ସହ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ଦରକାର। ଯାହା ଦ୍ବାରା ସରକାର କୃଷି ନିୟମ ଫେରାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଅଖିଳ ଭାରତୀୟ କିଷାନ ସଭାର ସାଧାରଣ ସଂପାଦକ ହାନାନ ମୋହ୍ଲା। ଆସନ୍ତାକଲି ହେବାକୁ ଥିବା ବୈଠକରେ ଯଦି ସରକାର ଆମ ଦାବି ନଶୁଣନ୍ତି ତେବେ ବିକ୍ଷୋଭ ତୀବ୍ରତର ହେବ। ନୂଆ କୃଷି ନୀତି ବିରୋଧରେ ପ୍ରଦର୍ଶନ ଜୋର ଧରିବ ବୋଲି କହିଛନ୍ତି ଚାଷୀ ନେତା ଗୁରୁନାମ ସିଂହ।
ଗୁରୁବାର ଦିନ ମାରାଥନ ଆଲୋଚନା ବିଫଳ ହେବା ପରେ ପୁଣି ଡିସେମ୍ବର ୫ରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ। ଅନ୍ୟପଟେ ବୈଠକ ଶେଷ ହେବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଥିଲେ, ଚାଷୀ ସଂଗଠନ ସହ ଖୋଲା ମନରେ ସରକାର ଆଲୋଚନା କରୁଛନ୍ତି। ସେମାନଙ୍କର ବିଭିନ୍ନ ଦାବିକୁ ଗୁରୁତର ସହ ନିଆଯାଇଛି। ୪୦ କୃଷକ ନେତାଙ୍କ ସହ ବୈଠକ ବିଫଳ ହେବା ପରେ ସରକାର ଆଉ ଗୋଟିଏ ଦିନ ମାଗିଥିଲେ। ଶନିବାର ପୁଣି ଆଲୋଚନା ହେବାକୁ ଥିବା ବେଳେ ନିଷ୍କର୍ଷ ଉପରେ ସମସ୍ତଙ୍କ ନଜର ରହିବ।