ଟୋକନ୍ ଅଛି ହେଲେ ବିକ୍ରି ହୋଇପାରୁନି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ

Published By : Prameya-News7 Bureau | March 10, 2021 IST

ଆଠଗଡ ୧୦।୩: କୃଷି ଓ କୃଷକର ଉନ୍ନତି ପାଇଁ ସବୁ ସ୍ତରରେ ଚାଲିଛି ଉଦ୍ୟମ । ହେଲେ ପ୍ରଶାସନିକ ଇଚ୍ଛା ଶକ୍ତିର ଅଭାବ କାରଣରୁ ଚାଷୀ ତାର ଅଧିକାର ଓ ପ୍ରାପ୍ୟରୁ ବଞ୍ଚିତ ହେଉଛି । ଯେଉଁଥି ପାଇଁ କୃଷିରୁ ନିଜକୁ ଦୂରେଇ ନେଉଛି କୃଷକ ଓ ଆନ୍ଦୋଳନ ପାଇଁ ଓହ୍ଲାଇ ଆସୁଛି ରାଜରାସ୍ତାକୁ । ଏଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଅନ୍ତର୍ଗତ ଗୋପପୁର ଅଞ୍ଚଳରେ । ଗୋଟିଏ ପଟେ ଚାଷୀ ତାର ଧାନ ବିକ୍ରି ପାଇଁ ଟୋକନ ପାଇଥିବା ବେଳେ ଚାଷୀ ତାର ଧାନ ବିକ୍ରି କରି ପାରୁ ନାହିଁ । ଯାହାକି ଏବେ ଚାଷୀ ପାଇଁ ଚିନ୍ତାର କାରଣ ପାଲଟିଛି ।

ଚାଷୀର ଏପରି ସମସ୍ୟାର ପ୍ରତିବାଦ କରି ନବ ନିର୍ମାଣ କୃଷକ ସଙ୍ଗଠନ, ବଡମ୍ବା ତରଫରୁ ଆନ୍ଦୋଳନର ଡାକରା ଦିଆଯାଇଛି । ଗୋପପୁର ସେବା ସମବାୟ ସମିତି ଅଧିନରେ ଯାଉଥିବା ୬ଟି ପଂଚାୟତର ଚାଷୀ ରାସ୍ତାରେ ଧାନ ବସ୍ତା ରଖି କଟକ ନରସିଂହପୁର ୬୫ ନଂ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ବଡମ୍ବା ବ୍ଲକର ସବୁଠାରୁ ଅଧିକ ଚାଷୀଙ୍କୁ ନେଇ ଗଠିତ ହୋଇଥିବା ଗୋପପୁର ସେବା ସମବାୟ ସମିତିରେ ୫୩୮ ଜଣ ଚାଷୀ ଧାନ ଦେବା ପାଇଁ ପଞ୍ଜିକୃତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୬୯ ଜଣ ଚାଷୀ ସେମାନଙ୍କ ଧାନକୁ ମଣ୍ଡିରେ ଦେଇଥିବା ବେଳେ ଅନ୍ୟ ୧୬୯ ଜଣ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ପ୍ରଶାସନକୁ ଅନେକ ଥର ସେମାନଙ୍କ ଅସୁବିଧା ଜଣାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.