ଝାରସୁଗୁଡାରେ ଟୋକନ ସମସ୍ୟାକୁ ନେଇ ତାତିଲେ ଚାଷୀ, ଅବରୋଧ କଲେ ଜାତୀୟ ରାଜପଥ

Published By : Prameya-News7 Bureau | January 25, 2021 IST

ଝାରସୁଗୁଡା ୨୫।୧: ଝାରସୁଗୁଡ଼ାରେ ମଧ୍ୟ ଚାଷୀଙ୍କ ଧାନ କିଣିବାକୁ ନେଇ ଟୋକନ ସମସ୍ୟା ଦେଖାଦେଇଛି । ଖରିଫ ଋତୁର ଧାନ ସଂଗ୍ରହ ପାଇଁ ଜିଲ୍ଲା କୃଷି ବିଭାଗ ଓ ଯୋଗାଣ ବିଭାଗର ସର୍ଭେ ଅନୁସାରେ ଚାଷୀଙ୍କୁ ଟୋକନ ଦେବା ବ୍ୟବସ୍ଥା ରହିଥିଲେ ମଧ୍ୟ ଲଖନପୁର ବ୍ଲକର ଅତାବିରା ସମବାୟ ସମିତି ଅଧିନରେ ରହିଥିବା ଚାଷୀମାନଙ୍କୁ ଟୋକନ ମିଳିନାହିଁ । ଜିଲ୍ଲା ପ୍ରଶାସନର ଭୁଲ ପାଇଁ ଅତାବିରା ପଞ୍ଚାୟତର ୧୭୨ ଜଣ ଚାଷୀଙ୍କୁ ଟୋକନ ଦିଆଯାଇ ନଥିବାରୁ ସେମାନଙ୍କ ଧାନ ବିକ୍ରି ସମସ୍ୟାକୁ ନେଇ ପଞ୍ଚଗାଁ ଛକରେ ୪୯ ନମ୍ବର ଜାତୀୟ ରାଜପଥରେ ଅଞ୍ଚଳର ଚାଷୀମାନେ ଟ୍ରାକ୍ଟରରେ ଧାନ ବସ୍ତା ବୋଝେଇ କରି ଆନ୍ଦୋଳନ କରୁଛନ୍ତି । ସମସ୍ତେ ଜାତୀୟ ରାଜପଥ ୪୯କୁ ଅବରୋଧ କରିଛନ୍ତି ।

ଚାଷୀମାନଙ୍କ ପଞ୍ଜିକରଣ ତ୍ରୁଟି ଯୋଗୁଁ ୧୭୨ ଜଣ ଚାଷୀଙ୍କ ସମସ୍ୟା ଲାଗି ରହିଥିବାରୁ ଶହ ଶହ ବସ୍ତା ଧାନ ବିକ୍ରି କରିପାରୁ ନାହାନ୍ତି । ଏ ନେଇ ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବାରୁ ଚାଷୀମାନେ ତାତିଛନ୍ତି । ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଭାରିଜାନ ବସ୍, ତଥା ଅନ୍ୟାନ୍ୟ ପରିବହନ ଗାଡ଼ି ଅଟକି ରହିଛି । ଏହି ସମସ୍ୟାକୁ ନେଇ ସ୍ଥାନୀୟ ବିଧାୟକ କିଶୋର ମହାନ୍ତି କିଛିଦିନ ତଳେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଏକ ଚାଷୀ ପ୍ରତିନିଧି ଦଳ ଯାଇ ଦୃଷ୍ଟି ଆକର୍ଷଣ କରିଥିଲେ । ତଥାପି ସମସ୍ୟାର ସମାଧାନ ହୋଇନଥିବାରୁ ଆନ୍ଦୋଳନକୁ ଓହ୍ଲାଇ ପ୍ରଶାସନ ଧାନ କିଣିବାକୁ ଅଦି ବସିଛନ୍ତି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.