ଟୋକନ୍ ବ୍ୟବସ୍ଥା ଓ ଏସଏଚଜି ମାଧ୍ୟମରେ ଧାନକିଣା ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ

Published By : Prameya-News7 Bureau | November 20, 2019 IST

ସୋନପୁର ୨୦।୧୧: ନଭେମ୍ବର ୧୫ ତାରିଖରୁ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ ଋତୁର ଧାନକିଣା ପ୍ରକ୍ରୀୟା । ଜିଲ୍ଲାର ୯୬ ଟି ସ୍ଥାନରେ ଧାନ କିଣାଯିବା ପାଇଁ ବ୍ୟବସ୍ଥା ହୋଇଛି । ସେଥିମଧ୍ୟରେ ରହିଛି ୬୪ ଗୋଟି ପ୍ୟାକ୍ସ,୧୭ଗୋଟି ସବ୍ ସେଂଟର ଏବଂ ୧୫ ଗୋଟି ଏସଏଚଜି । ଚଳିତ ଖରିଫ ଋତୁରେ ଅଧିକ ଧାନ ଅମଳର ସମ୍ଭାବନା ଥିବାରୁ ୨ ଲକ୍ଷ ୧୫ ହଜାର ୧୪୭ ମେଟ୍ରିକ ଟନ୍ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ଧାନ ବିକ୍ରି କରିବାକୁ ଏପର୍ଯ୍ୟନ୍ତ ଜିଲ୍ଲାର ୪୭ ହଜାର ୯୯୦ ଜଣ ଚାଷୀ ସେମାନଙ୍କ ନାମ ପଂଜିକରଣ କରିଥିବା ଜିଲ୍ଲା ଯୋଗାଣ କହିଛି । ତେବେ ଏସବୁ ଭିତରେ ଚଳିତ ବର୍ଷ ସରକାର କରିଥିବା ଅନଲାଇନ ଟୋକନ ବ୍ୟବସ୍ଥାକୁ ବିରୋଧ କରିଛନ୍ତି ଚାଷୀ ।

{"id":186968,"sizeSlug":"large"}

ରାଜ୍ୟ ସରକାର ଏସଏଚଜି ମାଧ୍ୟମରେ ଧାନ କିଣିବାକୁ କରିଥିବା ବ୍ୟବସ୍ଥାକୁ ମଧ୍ୟ ବିରୋଧ କରିଛନ୍ତି ଚାଷୀ । ଏଯାଏଁ ଜିଲ୍ଲାର ଅନେକ ଚାଷୀ ଧାନ ଅମଳ କରିନଥିବାବେଳେ ସେମାନଙ୍କ ଟୋକନ ଜେନେରେଟ ହୋଇସାରିଛି । ସେହିଭଳି ଧାନ ଅମଳ କରି ବିକ୍ରି କରିବାକୁ ପ୍ରସ୍ତୁତ ହୋଇଥିବା ଚାଷୀର ଟୋକନ୍ ଜେନେରେଟ୍ ହୋଇପାରିନାହିଁ । ପୁର୍ବରୁ ଥିବା ମଣ୍ଡି ବ୍ୟବସ୍ଥାରେ ଚାଷୀ ଠିକ୍ ଭାବେ ଧାନ ବିକ୍ରି କରିନପାରି ହାଇରାଣ ହେଉଥିଲେ । ଏଣୁ କିଛି ସ୍ଥାନରେ ଏସଏଚଜି ମାଧ୍ୟମରେ ହୋଇଥିବା ଧାନ କିଣିବାର ବ୍ୟବସ୍ଥାରେ ଚାଷୀ ଠିକ୍ ଭାବେ ଧାନ ବିକ୍ରୀ କରିପାରିବେ ସେନେଇ ସନ୍ଦେହରେ ଅଛନ୍ତି । ଜିଲ୍ଲାର ଡୁଙ୍ଗୁରୀପାଲି ଏବଂ ବିନିକା ବ୍ଲକର  ଚାଷୀ ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅନଲାଇନ୍ ଟୋକନ୍ ବ୍ୟବସ୍ଥା ଏବଂ ଏସଏଚଜି ମାଧ୍ୟମରେ ଧାନକିଣା ବ୍ୟବସ୍ଥାକୁ ବନ୍ଦ ନକଲେ ଆଗକୁ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି । ସେପଟେ ଚାଷୀ କିଭଳି ସୁବିଧାରେ ଧାନ ବିକ୍ରି କରିପାରିବେ ସେନେଇ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.