୩୩ ଦିନରେ କୃଷକ ଆନ୍ଦୋଳନ, ୨୯ରେ ନୁହେଁ ୩୦ରେ ହେବ ଚାଷୀ-ସରକାରଙ୍କ ବୈଠକ

Published By : Prameya-News7 Bureau | December 28, 2020 IST

ନୂଆଦିଲ୍ଲୀ ୨୮/୧୨: ଦିଲ୍ଲୀ ବର୍ଡରରେ ହଜାର ହଜାର ଚାଷୀ ମାସେ ହେଲା ଡେରା ପକାଇଛନ୍ତି। ନୂଆ କୃଷି ନିୟମକୁ ବିରୋଧ ଓ ପ୍ରତ୍ୟାହାର ଦାବିରେ କୃଷକ ଅଡ଼ି ବସିଥିବା ବେଳେ କେନ୍ଦ୍ର ସହ ଆଲୋଚନା ବି ବିଫଳ ହେଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଆସୁଥିବା ବେଳେ କୃଷକ ସଂଗଠନ ୨୯ ତାରିଖ ସକାଳ ୧୧ରେ ଆଲୋଚନା କରିବେ ବୋଲି କହିଥିଲେ। କିନ୍ତୁ ୨୯ରେ ନୁହେଁ ୩୦ ତାରିଖ ଦିପ୍ରହର ୨ରେ ବୈଠକ ହେବ ବୋଲି ଜଣାପଡ଼ିଛି। ଏନେଇ କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲ କୃଷକଙ୍କୁ ଚିଠି ଲେଖିଛନ୍ତି।

ଅନ୍ୟପଟେ କୃଷକଙ୍କ ସହ ବୈଠକ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ଏହା ପୂର୍ବରୁ କୃଷକ ସଂଗଠନ ୨୯ ତାରିଖ ସକାଳ ୧୧ରେ ୪ଟି ପ୍ରସ୍ତାବ ଆଧାରରେ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ।

କୃଷକ ନେତା ରାକେଶ ଟିକ୍ୟାନ୍‌ କହିଥିଲେ ମଙ୍ଗଳବାର ହେବାକୁ ଥିବା ଆଲୋଚନା ଆମ ଏଜେଣ୍ଡା ଉପରେ ହେବ। ଆମେ ସରକାରଙ୍କ ପ୍ରସ୍ତାବ ଖଣ୍ଡନ କରିସାରିଛୁ। ଏବେ ଚର୍ଚ୍ଚା କେବଳ କୃଷି ନିୟମ ପ୍ରତ୍ୟାହାର ଉପରେ ହେବ। ଏବେ ଆନ୍ଦୋଳନକୁ ୩୩ ଦିନ ହୋଇଛି। ସରକାର ଦାବି ନମାନିଲେ ଆନ୍ଦୋଳନ ୬୬ ଦିନ ଚାଲିବ ବୋଲି ରାକେଶ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.