ଜଣଙ୍କର ଚାଷ ଜମି, ଅନ୍ୟଜଣେ ବିକୁଛନ୍ତି ଧାନ : ପଞ୍ଜୀକରଣରେ ଅନିୟମିତତା ଅଭିଯୋଗ ଆଣିଲେ ଚାଷୀ

Published By : Prameya-News7 Bureau | April 28, 2021 IST

ସୋନପୁର ୨୮।୪: ଜିଲ୍ଲାରେ ଚାଷୀ ପଞ୍ଜୀକରଣରେ ଅନିୟମିତତା ହୋଇଥିବା ଏକ ଘଟଣା ପୁଣି ସାମ୍ନାକୁ ଆସିଛି । କୋଟସମଲାଇ ପଞ୍ଚାୟତର ହରିଣାପାଲି ଗାଁର ସନ୍ତୋଷ ସେଠୀଙ୍କ ଅଜାଣତରେ ତାଙ୍କ ଚାଷ ଜମିରେ ଅନ୍ୟ କେହି ଧାନ ବିକ୍ରୟ କରୁଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ପାଖରେ ଅଭିଯୋଗ  କରିଛନ୍ତି । ବେଆଇନ ପଞ୍ଜୀକରଣରେ କ୍ଷତିଗ୍ରସ୍ତ ଚାଷୀ ସନ୍ତୋଷଙ୍କ ଅଜାଙ୍କ ନାମରେ ଥିବା ଗୋଟିଏ ଏକର ୧୫୦ ଡିସିମିଲ ଜମିରୁ ଉତ୍ପାଦିତ ଧାନ କେହି ଅନ୍ୟ ଜଣେ ବିକ୍ରୟ କରୁଥିବା କୋଟସମଲାଇ ପ୍ୟାକ୍ସ ସମ୍ପାଦକ କହିବା ପରେ ସେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଚଡେଇପଙ୍କ ପଞ୍ଚାୟତର କିଶୋର କୁମାର ମେହେର ନାମକ କେହି ଜଣେ ବ୍ୟକ୍ତି ସନ୍ତୋଷ ସେଠୀଙ୍କ ଜାଲ୍ କାଗଜପତ୍ର କରି ଧାନ ବିକ୍ରୟ କରିଥିବା ଘଟଣା ନଜରକୁ ଆସିଛି । ଜମି ମାଲିକଙ୍କ ଅଜାଣତରେ କୁତମେଣ୍ଡା ଗାଁର ସାଇରାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନିକଟରେ ନାମ ପଞ୍ଜୀକରଣ କରାଯାଇ ଧାନବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

ସେହିପରି ହରିଣାପାଲି ଗାଁର ବାସୁଦେବ ଜଗତଙ୍କ ନାଁରେ ବି ଅନ୍ୟ କେହି ଜଣେ ୨ ଏକର ୩୯୦ ଡିସିମିଲ ଚାଷ ଜମିର ଉତ୍ପାଦିତ ଧାନ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଉଭୟ ଚାଷୀ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରି ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ଏବଂ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କ ଉତ୍ପାଦିତ ଧାନ ବିକ୍ରୟ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣ ପ୍ରସାଦ ସୁପକାର ଏହି ଦୁଇ ଚାଷୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.