‘ପ୍ରଧାନମନ୍ତ୍ରୀଙ୍କୁ ରୋକିଥିବାରୁ ଧାରଣାରତ ଚାଷୀଙ୍କୁ ଧନ୍ୟବାଦ’; କୃଷକ ନେତାଙ୍କ ଭିଡିଓ ଭାଇରାଲ

Published By : Prameya-News7 Bureau | January 07, 2022 IST

ଅମୃତସର ୦୭/୦୧: ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ଫରୋଜପୁରରେ ଏକ ରାଲିକୁ ସମ୍ବୋଧିକ କରିବା ପାଇଁ ଯାଉଥିବା ବେଳେ ପ୍ଲାଏ ଓଭର ଉପରେ ମୋଦି ପ୍ରାୟ ୨୦ ମିନିଟ୍‌ ଧରି ଫସିରହିଥିଲେ । ଶାସକ ବିଜେପି ଏ ନେଇ ପଞ୍ଜାବର ଚନ୍ନି ସରକାରକୁ ବାରମ୍ବାର ଟାର୍ଗେଟ୍ କରୁଥିବା ବେଳେ କେନ୍ଦ୍ର ପକ୍ଷରୁ ରିପୋର୍ଟ ତଲବ କରାଯାଇଛି । ତେବେ ଘଟଣାର ଗୋଟିଏ ଦିନ ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ କଭାରତୀୟ କିଷାନ୍‌ ୟୁନିଅନ୍‌ ନେତା ସୁରଜିତ୍ ସିଂହ ଫୁଲ ଚାଷୀଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୨୦ ମିନିଟ୍‌ ଧରି ଅଟକାଇଥିବାରୁ ଜଣେ ଚାଷୀ ନେତା ସେଠାରେ ଉପସ୍ଥିତ ଚାଷୀଙ୍କ ପ୍ରଶଂସାରେ ଗଦ୍‌ଗଦ୍‌ ହେଉଛନ୍ତି ଏବଂ ଧନ୍ୟବାଦ ଜଣାଉଛନ୍ତି । ଏକ ବସ୍‌ ଉପ​‌ରେ ଛିଡା ହୋଇ କୃଷକ ନେତା ସୁରଜିତ୍ ସିଂହ ଫୁଲ, ତଳେ ଉପସ୍ଥିତ ଥିବା ଚାଷୀଙ୍କୁ ଉଦବୋଧନ ଦେଉଥିବା ଦେଖିବାକୁ ମିଳୁଛି । ଭିଡିଓରେ ଚାଷୀ ନେତା ଜଣକ କହୁଛନ୍ତି, ‘ଆପଣମାନଙ୍କ ଏକତା ଯୋଗୁଁ ମୋଦି ରାଲି କରିପାରିଲେ ନାହିଁ ।’

ସେ ଆହୁରି ମଧ୍ୟ କହୁଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ସ୍ଥଳରୁ ୧୦-୧୧ କିଲୋମିଟର ଦୂରରୁ ଚାଷୀମାନେ ରାସ୍ତା ବନ୍ଦକରି ରଖିଥିଲେ । ଯାହା ଫଳରେ ସେ ଆଗକୁ ବଢିପାରିନଥିଲେ । ସେଥିପାଇଁ ଚାଷୀଙ୍କୁ ଧନ୍ୟବାଦ ।’

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଫିରୋଜପୁର ରାଲିକୁ ସମ୍ବୋଧିତ କରିବା ସହ ହୁସୈନଓ୍ବାଲାରେ ଥିବା ଜାତୀୟ ସହିଦ ସ୍ମୃତିକୁ ଯିବାର ଥିଲା । ଏଥିପାଇଁ ହେଲିକପ୍ଟରର ବ୍ୟବସ୍ଥା ରହିଥିଲା କିନ୍ତୁ ଖରାପ ପାଗ କାରଣରୁ ସଡକ ପଥରେ ଯିବାକୁ ସ୍ଥିର କରାଯାଇଥିଲା । ତେବେ ଫିରୋଜପୁର ଯିବା ରାସ୍ତାରେ ହିଁ ଚାଷୀମାନେ ରାସ୍ତା ରୋକ୍‌ କରିଥିଲେ । ଯାହାଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ଲାଏ ଓଭର ବ୍ରିଜ୍‌ ଉପରେ ପ୍ରାୟ ୨୦ ମିନିଟ୍‌ ଧରି ଫସି ରହିଥିଲେ । ଏହାକୁ ନେଇ ଦେଶବ୍ୟାପୀ ତମ୍ବିତୋଫାନ ଲାଗିରହିଥିବା ବେଳେ ଚାଷୀ ନେତାଙ୍କ ଏହି ଭିଡିଓ ଚର୍ଚ୍ଚାକୁ ଆହୁରି ବଢାଇଦେଇଛି ।

https://fb.watch/anNQPDF2ww/

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.