ସୀମାରେ 'ସନ୍ଦେଶେ ଆତେ ହୈ..' ଗୀତ ବଜାଉଛି ପୋଲିସ, କୃଷକମାନେ କହିଲେ- 'ବନ୍ଦ କର, ଆମକୁ କଷ୍ଟ ହେଉଛି'

Published By : Prameya-News7 Bureau | February 02, 2021 IST

ନୂଆଦିଲ୍ଲୀ ୦୨/୦୨: କୃଷି ଆଇନକୁ ନେଇ କୃଷକ ଓ ସରକାରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି । କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି । ଧାରଣା ମଧ୍ୟ ଦେଉଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ଧାରଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ସିଙ୍ଘୁ ସୀମାରେ ଡିଜେ ଲଗାଯାଇଛି । ଏଥିରେ ବର୍ଡର ଫିଲ୍ମର ସନ୍ଦେଶେ ଆତେ ହୈ ଗୀତ ବାଜୁଛି । କିନ୍ତୁ କୃଷକମାନେ ଏହି ଗୀତକୁ ବନ୍ଦ କରିବା ପାଇଁ କହିବା ସହ କଷ୍ଟ ହେଉଥିବା କହିଛନ୍ତି ।

କୃଷକମାନେ ଡିଜେ ବନ୍ଦ କରିବାକୁ ଦାବି କରିଛନ୍ତି । ତାଙ୍କ କହିବାନୁସାରେ, ଡିଜେ ବଜାଇଲେ ସେମାନଙ୍କୁ ସମସ୍ୟା ହେଉଛି । ଏଥିପାଇଁ କୃଷକମାନେ ଏକ ପ୍ରେସ୍ ରିଲିଜ ମାଧ୍ୟମରେ ନିଜ ଦାବି ଉପସ୍ଥାପନ କରିଛନ୍ତି ।

କିଶାନ ମଜଦୁର ସଙ୍ଘର୍ଷ ସମିତି ପଞ୍ଜାବ ପ୍ରାନ୍ତର ଅଧ୍ୟକ୍ଷ ସତନାମ ସିଂ କହିଛନ୍ତି ଯେ, ସରକାର କୃଷକଙ୍କ ସହ ଆଲୋଚନା କରିବାକୁ ହେଲେ ପ୍ରଥମେ ଗିରଫ ଚାଷୀଙ୍କୁ ମୁକ୍ତ କରନ୍ତୁ । ବ୍ୟାରିକେଡ୍ ସହ ପାଣି ଓ ଇଣ୍ଟରନେଟ୍ ଓ ଶୌଚାଳୟ ଉପରୁ କଟକଣା ହଟାନ୍ତୁ । ଏହାସହ ସେ ଡିଜେ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଉଛି ।

କୃଷକ ନେତାମାନେ ଅଭିଯୋଗ କରିଛନ୍ତି ଯେ, ଜାନୁଆରୀ ୨୬ ତାରିଖରେ ହୋଇଥିବା ଦଙ୍ଗା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ । ସେହି ସମୟରେ ପଥରମାଡ ହୋଇଥିଲେ । ପଥର ମାଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ । ଏହାସହ ଗିରଫ କୃଷକ ତଥା ସାମ୍ବାଦିକ ମନଦୀପ ପୁନିଆଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି କୃଷକ ସଙ୍ଗଠନ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.