ଚାଷୀଙ୍କ ଟ୍ରାକ୍ଟର ରାଲି ନେଇ ଶାସକ-ବିରୋଧୀ ମୁହାଁମୁହିଁ : ବିଜେପି କହିଲା ଏହା ଚାଷୀ ଆନ୍ଦୋଳନ ନୁହେଁ, ବିଜେଡି କହୁଛି ଚାଷୀଙ୍କ ଦାବି ମାନିନିଅନ୍ତୁ ସରକାର
26/01/2021 at 1:29 PM

ଭୁବନେଶ୍ୱର ୨୬।୦୧ : ଚାଷୀ ଆନ୍ଦୋଳନକୁ ନେଇ ରାଜ୍ୟରେ ରାଜନୀତି ଜୋରସୋର । ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । କୃଷକଙ୍କ ଦାବିକୁ କେନ୍ଦ୍ର ସରକାର ମାନନ୍ତୁ ବୋଲି ବିଜେଡ଼ି କହୁଥିବା ବେଳେ ବିଜେପି କହୁଛି କେବଳ ୨ ରାଜ୍ୟର ଚାଷୀ ଆନ୍ଦୋଳନ କରୁଛନ୍ତି । ଏହାକୁ ଚାଷୀ ଆନ୍ଦୋଳନ କୁହାଯାଇପାରିବନାହିଁ ।
ଦେଶରେ ତିନୋଟି ନୂଆ କୃଷି ଆଇନ୍କୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ଇତିମଧ୍ୟରେ ଚାଷୀ ଆନ୍ଦୋଳନକୁ ୫୦ରୁ ଅଧିକ ଦିନ ବିତିଗଲାଣି । ତଥାପି ଉଭୟ କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ମଧ୍ୟରେ କୌଣସି ସମାଧାନର ବାଟ ଫିଟିନାହିଁ । ତେବେ ଆଜି କୃଷକ ସଂଗଠନମାନେ ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀରେ ବିଶାଳ ଟ୍ରାକ୍ଟର ରାଲି କରୁଛନ୍ତି । ଯାହାକୁ ନେଇ ବିଜେଡ଼ି ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ଭାରତ ବର୍ଷର ଚାଷୀମାନଙ୍କ ପାଇଁ ରାଜ୍ୟ ତଥା ଦେଶ ସମୃଦ୍ଧ ହୋଇଛି | ତେଣୁ କୃଷକ ମାନଙ୍କୁ ଛାଡି ଦେଶର ବିକାଶ କଥା ଚିନ୍ତା କରାଯାଇ ପାରିବନାହିଁ । ସେମାନେ ଜାତିର ଅନ୍ନଦାତା । ଆଶା କରୁଛି ଆଜି ଏହି ପବିତ୍ର ଦିବସରେ ଅନ୍ନଦାତାଙ୍କର ବହୁ ଦିନର ଦାବିକୁ ସରକାର ସହୃଦୟତା ସହ ଗ୍ରହଣ କରିବେ ଏବଂ ଏକ ଉଚ୍ଚ ପରମ୍ପରା ସୃଷ୍ଟି କରିବେ ।
ସେହିପରି ବିଜେପି ନେତା ଖାରବେଳ ସ୍ୱାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ଚାଷୀଙ୍କ ଦ୍ଵାରା ଉତ୍ପାଦିତ ଶସ୍ୟ ଓଡ଼ିଶା ସରକାର ପ୍ରଥମେ ନିଜେ କିଣନ୍ତୁ । ଏହା କେନ୍ଦ୍ର ସରକାରଙ୍କ ପାଇଁ ଦୃଷ୍ଟାନ୍ତ ମୂଳକ ଉଦାହରଣ ପାଲଟିବ । ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନରେ କେବଳ ୨ଟି ରାଜ୍ୟର ଚାଷୀମାନେ ଭାଗ ନେଇଛନ୍ତି । ଏପରିକି ବାକି ଅନେକ ରାଜ୍ୟର ଚାଷୀମାନେ ଏହି ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । ତେଣୁ ଏହାକୁ ଚାଷୀ ଆନ୍ଦୋଳନ କୁହାଯାଇପାରିବନାହିଁ । ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆୟ ଦୁଇ ଗୁଣା ବୃଦ୍ଧି କରିବା ଲାଗି ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ । ଯାହାକି ଏବେ ପୂରଣ କରିଛନ୍ତି । କର୍ପୋରେଟର ସଂସ୍ଥା ମାନେ ଆଧୁନିକ ଯନ୍ତ୍ରପାତି, ସାର, ବିହନ ଚାଷ କାର୍ଯ୍ୟ ପାଇଁ ଯୋଗେଇଦେବେ । ଯାହାର ଫାଇଦା ଚାଷୀମାନେ ପାଇବେ । ଏହା ଏକପ୍ରକାର ଭାଗ ଚାଷ ଭଳି। ଚାଷୀର ଜମି ତା ହାତରେ ସୁରକ୍ଷିତ ଭାବେ ରହିବ ।