ଗ୍ରାହକ ସେବାକେନ୍ଦ୍ରରେ ଚାଷୀଙ୍କ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହେରଫେର : ଧାରଣାରେ ଶତାଧିକ ଚାଷୀ
15/07/2019 at 2:22 PM

ନୂଆପଡା ୧୫/୭: ଗ୍ରାହକ ସେବାକେନ୍ଦ୍ରରେ ଚାଷୀଙ୍କ କୋଟିଏରୁ ଉର୍ଦ୍ଧ ଟଙ୍କା ହେରଫେର ଘଟଣାରେ ନୂଆପଡା ଏସବିଆଇ ମୁଖ୍ୟ ଶାଖା ଭିତରେ ଧାରଣାରେ ବସିଛନ୍ତି ଶତାଧିକ ଚାଷି । ନୂଆପଡା ପୋଲିସ ସେମାନଙ୍କୁ ବୁଝାସୁଝା କରୁଥିବା ବେଳେ ସେବାକେନ୍ଦ୍ର ପରିଚାଳକଙ୍କୁ ଗିରଫ କରିବା ସହ ହେରଫେର କରିଥିବା ଟଙ୍କାକୁ ଫେରସ୍ତ ଦାବି କରିଛନ୍ତି ଚାଷୀ ।

ନୂଆପଡା ଏସବିଆଇ ତରଫରୁ ଲୋକଙ୍କୁ ସହଜରେ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ ଲଖନା ଥାନା କୁରୁମପୁରି ଠାରେ ଏକ ଗ୍ରାହକ ସେବାକେନ୍ଦ୍ର ଖୋଲା ଯାଇଥିଲା । ଯାହାକୁ ଲଖନା ପୁରୁଣାବସ୍ତିର ଦାଶରଥି ସୁନାନି ନାମକ ଜଣେ ଯୁବକ ଚଳାଉଥିଲେ । ଗ୍ରାହକ ଙ୍କ ଫିଙ୍ଗର ପ୍ରିଣ୍ଟ ସହ ଆଧାର ଲିଙ୍କ ମାଧ୍ୟମରେ ସେବାକେନ୍ଦ୍ରରେ ଟଙ୍କା ଉଠା ଯାଉଥିଲା । ଯାହାକୁ ଚଞ୍ଚକତା କରି ବାରମ୍ବାର ଫିଙ୍ଗର ପ୍ରିଣ୍ଟ ନେବାସହ ଶତାଧିକ ଚାଷୀଙ୍କ ପାଖାପାଖି କୋଟିଏରୁ ଉର୍ଦ୍ଧ ଟଙ୍କା ସେବାକେନ୍ଦ୍ର ପରିଚାଳକ ଉଠାଇ ନେଇଛନ୍ତି । ପାସବୁକ ପ୍ରିଣ୍ଟର ଖରାପ ଅଛି କହି ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ କିଛି ଲୋକ ସ୍ଥାନୀୟ କୁରେଶ୍ବର ଶାଖାରେ ବ୍ୟାଙ୍କ ଖାତାକୁ ଅପଡେଟ୍ କରାଇବା ପରେ ଟଙ୍କା ହେରଫେର କଥା ଜାଣିବାକୁ ପାଇଥିଲେ ।ଏହାକୁ ଦେଖି ଏବେ ସମସ୍ତେ ଖାତା ପ୍ରିଣ୍ଟ କରୁଥିବା ବେଳେ କାହା ଖାତାରୁ ପଚାଶ ହଜାର ତ କାହା ଖାତାରୁ ନବେ ହଜାର ଟଙ୍କା ଗାୟବ ହୋଇ ଯାଇଛି ।

ସମୂହ କ୍ଷତିଗ୍ରସ୍ତ ଚାଷି ଲଖନା ଥାନାରେ ଲିଖିତ ଅଭିଯୋଗ କରିବା ସହ ସେମାନଙ୍କର ଟଙ୍କା ଫେରସ୍ତ କରିବା ପାଇଁ ଆଜି ନୂଆପଡା ମୁଖ୍ୟ ଶାଖାକୁ ଗୁହାରି କରିବା ପାଇଁ ଶତାଧିକ ଚାଷୀ ଶାଖାରେ ପହଞ୍ଚିଛନ୍ତି । ଏହାସହ ଗ୍ରାହକ ସେବାକେନ୍ଦ୍ରର ପରିଚାଳକ ଦାଶରଥି ସୁନାନିଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।ତେବେ ପରିଚାଳକ ବର୍ତ୍ତମାନ ସେବାକେନ୍ଦ୍ରରେ ତାଲା ପକାଇ କୁଆଡେ ଫେରାର ମାରିଛି । ନୂଆପଡା ଶାଖା ମୁଖ୍ୟ ପରିଚାଳକ ସହଯୋଗ କରିବା ନେଇ ପ୍ରତିଶୃତି ସହ ନୂଆପଡା ଏସଡିପିଓ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦେବାପରେ ସମସ୍ତେ ଆନ୍ଦୋଳନରୁ ଓହରିଛନ୍ତି ।
