ଟୋକନ ଆସିଥିବା ଚାଷୀଙ୍କ ଧାନ ତୁରନ୍ତ କିଣିବାକୁ ଦାବି, ଧାରଣାରେ ବସିଲେ ଚାଷୀ

Published By : Prameya-News7 Bureau | January 25, 2022 IST

ଖଲ୍ଲିକୋଟ ୨୫।୧: ଟୋକନ ଆସିଥିବା ଚାଷୀଙ୍କ ଧାନ ତୁରନ୍ତ କିଣିବା ଦାବିରେ ଚାଷୀଙ୍କ ଧାରଣା । ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କୁମାରବେଗପଲ୍ଲୀ ଗ୍ରାମଠାରେ ଥିବା ଶିବ ବାବା ଏସଏଚଜି ଗ୍ରୁପ ଧାନ ମଣ୍ଡିରେ ପୋଡାପଦର ଗ୍ରାମର ବହୁ ଚାଷୀ ଧାରଣାରେ ବସିଛନ୍ତି ।

ଚାଷୀଙ୍କ ସୂଚନା ଅନୁଯାୟୀ, ଡିସେମ୍ବର ୨୯ ତାରିଖରେ ପୋଡାପଦର ଗ୍ରାମର ପ୍ରାୟ ୬୦ଜଣ ଚାଷୀଙ୍କ ଟୋକନ ଆସିଥିବା ବେଳେ ଆସନ୍ତା ୨୭ ଓ ୩୦ ତାରିଖରେ ଟୋକନର ଅବଧି ଶେଷ ହେବ । ଯଦି ଧାନ କିଣା ନଯାଏ ତେବେ ସେମାନଙ୍କ ଟୋକନ ଅବଧି ସରିଯିବ । ସେମାନଙ୍କ ପାଖରେ ଥିବା ୧୮୦୦ କ୍ବିଣ୍ଟାଲରୁ ଅଧିକ ଧାନ ରହିଥିଲେ ମଧ୍ୟ ସେମାନଙ୍କ ଧାନ ମିଲର କିଣୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ସେମାନଙ୍କ ଧାନକୁ ତୁରନ୍ତ କିଣିବା ଦାବି ନେଇ ପୋଡାପଦର ଗ୍ରାମର ଚାଷୀ ଡି. ରାଜେଶ୍ବର ରାଓଙ୍କ ନେତୃତ୍ବରେ ବହୁ ଚାଷୀ ଧାରଣାରେ ବସି ରହିଛନ୍ତି । ଏହି ବିଷୟ ନେଇ ଚାଷୀମାନେ ପୂର୍ବରୁ ଯୋଗାଣ ଅଧିକାରୀ, ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ବି କୌଣସି ସମାଧାନ ନହେବାରୁ ଚାଷୀ ଧାରଣା ଦେଇଛନ୍ତି । ଧାରଣାରେ ପୋଡାପଦର ଗ୍ରାମର ବହୁ ଚାଷୀ ଉପସ୍ଥିତ ଥିଲେ । ଛତ୍ରପୁର ବ୍ଲକରେ ଚଳିତ ବର୍ଷ ୧୩ଟି ସେବା ସମବାୟ ସମିତି ଓ ୮ଟି ମହିଳା ଏସଏଚଜି ଧାନ କିଣାରେ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.