ଚାଷୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ପୁଣି ବିଫଳ : ୮ ରେ ଆଉଥରେ ବୈଠକ, ଆହୁରି କଠୋର ହେଲା ଆନ୍ଦୋଳନକାରୀଙ୍କ ଆଭିମୁଖ୍ୟ
4/01/2021 at 6:25 PM

ନୂଆଦିଲ୍ଲୀ ୦୪/୦୧ : ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ତେବେ ସୋମବାର ଚାଷୀ ଏବଂ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପୁଣିଥରେ ବିଫଳ ହୋଇଛି । ଉଭୟ ପକ୍ଷ ମଧ୍ୟରେ ୮ମ ଥର ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି । ଜାନୁୟାରୀ ୮ତାରିଖରେ ପୁଣି ଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ ଦିଲ୍ଲୀର ବିଜ୍ଞାନ ଭବନରେ ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଚାଷୀ ଉଠାଇଥିବା କିଛି ଦାବିକୁ ସରକାର ଗ୍ରହଣ କରିନେଇଥିଲେ । ବିଜୁଳି ବିଲ ଏବଂ ଷ୍ଟାବଲ ଜଳାଇବା ଦାବିକୁ ସରକାର ମାନି ନେଇଥିବା ସୂଚନା ମିଳିଛି । ତେବେ ଅନ୍ୟ ଦାବି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି । ଏହାର କୌଣସି ନିଷ୍କର୍ସ ବାହାରିପାରିନାହିଁ ।
ତେବେ ସୋମବାର ହୋଇଥିବା ବୈଠକରେ ଚାଷୀମାନେ କେବଳ ନୂଆ କୃଷି ଆଇନକୁ ଫେରାଇ ନେବା ପାଇଁ ଦାବି କରିଥିଲେ । କିନ୍ତୁ ପ୍ରତିଯବାବରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସଦସ୍ୟ ଏହି ଆଲୋଚନା ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରିବାକୁ କହିଥିଲେ । ଦୁଇ ପକ୍ଷର ଆଲୋଚନା ପରେ ଆସନ୍ତା ଜାନୁୟାରୀ ୮ ତାରିଖରେ ଏ ନେଇ ପୁଣି ଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ସରକାରଙ୍କ ସହ ଆଲୋଚନା ପରେ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ, ‘୮ ଜାନୁୟାରୀ ୨୦୨୧ରେ ସରକାରଙ୍କ ସହ ପୁଣିଥରେ ଆଲୋଚନା ହେବ । ତିନୋଟି କୃଷି ଆଇନକୁ ଫେରାଇନେବା ପାଇଁ ଏବଂ MSP ମୁଦ୍ଦା ଉପରେ ଜାନୁୟାରୀ ୮ ତାରିଖରେ ପୁଣି ଥରେ ଆଲୋଚନା ହେବ ’ ।