ଅନ୍ନଦାତାଙ୍କ ଅନଶନ ଜାରି, ସରକାରଙ୍କ ସହ ଆଲୋଚନା ପ୍ରସ୍ତାବ ଉପରେ ଆଜି ନିଷ୍ପତ୍ତି ନେବ କୃଷକ ସଙ୍ଗଠନ
22/12/2020 at 9:04 AM

ନୂଆଦିଲ୍ଲୀ,୨୨/୧୨: କୃଷକ ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ଅନ୍ନଦାତାମାନେ ଅଣ୍ଟା ଭିଡିଲେଣି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ କୃଷକମାନେ ସୋମବାରଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି । ସେମାନେ ପାଳି କରି ୨୪ ଘଣ୍ଟା ଉପାସରେ ଅନଶନ କରୁଛନ୍ତି ।
ଏହା ମଧ୍ୟରେ ସରକାର ଓ କୃଷକଙ୍କ ମଧ୍ୟରେ ଲଗାତର ୫ଟି ଆଲୋଚନା ବିଫଳ ହେବା ପରେ ପୁଣି ଆଲୋଚନା ନେଇ କଥାବାର୍ତ୍ତା ଚାଲିଛି । ସରକାର କୃଷକ ସଙ୍ଗଠନକୁ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ କରିବାକୁ କହିଛନ୍ତି । ସରକାର ସମସ୍ତ ୪୦ ସଙ୍ଗଠନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ତେବେ ସରକାରଙ୍କ ଏହି ପ୍ରସ୍ତାବ ଉପରେ ଆଜି ସଙ୍ଗଠନ ଆଲୋଚନା କରିବ ।
ସୂଚନାନୁସାରେ, ନୂଆ କୃଷି ଆଇନ ବିରୋଧରେ ସିଂଘୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୨୭ ଦିନ ହେଲା କୃଷକ ସିଂଘୁ ସୀମାରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ବିକେୟୁ ପଞ୍ଜାବର ସଚିନ ବଳବନ୍ତ ସିଂହ କହିଛନ୍ତି, ସୋମବାରଠାରୁ ପ୍ରତିଦିନ ୧୧ ଜଣ ଅନଶନରେ ବସିବେ। ସରକାର ଯେତେଦିନ ଯାଏଁ ଦାବି ପୂରଣ କରୁନାହାନ୍ତି ସେତେଦିନ ଯ।ଏଁ ଆନ୍ଦୋଳନ ଚାଲିବ।
ଭାରତୀୟ କୃଷକ ୟୁନିୟନ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଉତ୍ତର ପ୍ରଦେଶ ଗେଟରେ ସୋମବାରରୁ ଲଙ୍ଗର ଚାଲିବ। ଏଥିପାଇଁ ଶାମଲି ଜିଲ୍ଲାର ୬୦ ଗାଁରୁ ସାମଗ୍ରୀ ବ୍ୟବସ୍ଥା କରାଯାଇଛି। ସକାଳ ୮ଟା ରୁ ଗାଁମାନଙ୍କରୁ ରାସନ ଆଣିବା ଆରମ୍ଭ ହୋଇଯାଇଛି। ରାସନ ଟ୍ରାକ୍ଟର ଟ୍ରଲିରେ ଆସିବ ଏବଂ ୟୁପି ଗେଟରେ କୃଷକଙ୍କ ସହ ରାଲିରେ ଯିବ।
ଏତତ୍ ବ୍ୟତୀତ କୃଷକ ଆନ୍ଦୋଳନ ଯୋଗୁଁ ଧନସା ସୀମା ମଧ୍ୟ ଟ୍ରାଫିକ ଗତିବିଧି ପାଇଁ ବନ୍ଦ ରହିଛି। ଝଟିକରା ସୀମା ପଥଚାରୀ ଓ ଦୁଇ ଚକିଆ ଯାତ୍ରୀଙ୍କ ପାଇଁ ଖୋଲା ରହିଛି। ତାଛଡା ଦୌରାଲା, କାପାଶେରା, ବାଦୁସରାଇ, ରାଜୋକରି ଏନଏଚ-୮, ବିଜୱାସାନ୍, ପଲାମ ବିହାର ଏବଂ ଡୁଣ୍ଡେହେରା ସୀମା ଖୋଲା ରହିଛି।