ମାସେ ହେଲା ଧାରଣାରେ ବସିଛନ୍ତି ଅନ୍ନଦାତା, ସରକାରଙ୍କ ପ୍ରସ୍ତାବ ଉପରେ ଆଜି ଆଲୋଚନା କରିବେ କୃଷକ ସଙ୍ଗଠନ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ,୨୬/୧୨:  ନୂଆ କୃଷି ଆଇନକୁ ବିରୋଧ କରି ଧାରଣାରେ ବସିଥିବା କୃଷକଙ୍କ ଆନ୍ଦୋଳନ ଗୋଟିଏ ମାସ ପୁରା କରିଛି । ଦୀର୍ଘ ୩୧ ଦିନ ଧରି କୃଷକମାନେ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଛନ୍ତି । ନଭେମ୍ବର ୨୬ରେ କୃଷକମାନେ ରାଜଧାନୀ ଦିଲ୍ଲୀର ସିଙ୍ଘୁ ସୀମାରେ ଏକତ୍ର ହୋଇ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହା ୩୧ ଦିନ ହେଲା ଜାରି ରହିଛି ।

ନୂଆଦିଲ୍ଲୀର ସିଙ୍ଘୁ ସୀମା, ଟିକରୀ ଓ ଗାଜିପୂର ସୀମାରେ ମଧ୍ୟ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି । ଏପରିକି ଟ୍ରାକ୍ଟର ଧରି ମଧ୍ୟ ସେମାନେ ଆନ୍ଦୋଳନ କରୁଛନ୍ତି । ପ୍ରବଳ ଥଣ୍ଡା ସତ୍ତ୍ୱେ କୃଷକମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି । ସରକାର ଓ କୃଷକଙ୍କ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ୫ ଥର ହୋଇଥିବା ଆଲୋଚନା ବିଫଳ ହୋଇଛି ।

୨୦୨୦ ସରିବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଏହା ମଧ୍ୟରେ କୃଷକମାନେ ନୂଆ ବର୍ଷରେ ସେମାନଙ୍କ ସମସ୍ୟା ସମାଧାନ କରିବେ ବୋଲି ଆଶା ରଖିଛନ୍ତି । ଏଥିପାଇଁ ଶନିବାର କୃଷକ ସଙ୍ଗଠନ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଲୋଚନା ବାବଦରେ ଦିଆଯାଇଥିବା ପ୍ରସ୍ତାବ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ । ଆହୁରି ମଧ୍ୟ ସଙ୍ଗଠନ ଆଗାମୀ ରଣନୀତି ବାବଦରେ ଚର୍ଚ୍ଚା କରିବେ ।

ବିଭିନ୍ନ ଖବର ସରବରାହ ସଂସ୍ଥାର ସୂଚନାନୁସାରେ, କିଛି କୃଷକ ସଙ୍ଗଠନ ସରକାରଙ୍କ ସହ ଆଲୋଚନା ପାଇଁ ରାଜି ଥିବା ସଙ୍କେତ ଦେଇଛନ୍ତି । ସେମାନେ ସମସ୍ୟାର ଯଥାଶୀଘ୍ର ସମାଧାନ ଚାହୁଁଛନ୍ତି ।

କୃଷି ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, ଆଗାମୀ ୨ରୁ ୩ ଦିନ ମଧ୍ୟରେ ଟେବୁଲରେ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଏମଏସପିକୁ ନେଇ ଏବେବି ସରକାର ଓ ସଙ୍ଗଠନ ମଧ୍ୟରେ କେଁ ରହିଛି । ତେବେ ଆଲୋଚନାରେ କୌଣସି ନିଷ୍କର୍ସ ବାହାରିବ ବୋଲି ସେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.