ଜିଦ୍ରେ ଅଟଳ କୃଷକ ସଙ୍ଗଠନ, ଆଜି କରିବେ ଅନଶନ, ସେପଟେ ଆଲୋଚନା ପାଇଁ ପୁଣି ଚିଠି ଲେଖିଲେ ସରକାର
21/12/2020 at 8:37 AM

ନୂଆଦିଲ୍ଲୀ,୨୧/୧୨: ନୂଆ କୃଷି ଆଇନ ବିରୋଧରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି । କୌଣସି ପରିସ୍ଥିତିରେ ଅନ୍ନଦାତାମାନେ ଆନ୍ଦୋଳନରୁ ଓହରୁ ନାହାଁନ୍ତି । ଆଇନକୁ ପ୍ରତ୍ୟାହାର କରିବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରୁଛନ୍ତି । ଦିଲ୍ଲୀରେ ପ୍ରବଳ ଶୀତରେ ଗତ ୨୫ ଦିନ ହେଲା ନିଜ ଜିଦରେ ଅଟଳ ରହିଛନ୍ତି କୃଷକ । ଏହାମଧ୍ୟରେ ସୋମବାର କୃଷକମାନେ ସମସ୍ତ ଧାରଣାସ୍ଥଳରେ ଅନଶନ ଆରମ୍ଭ କରିଛନ୍ତି । ଅନ୍ୟପଟେ କୃଷି ସଚିବ ବିବେକ ଅଗ୍ରଓ୍ୱାଲ ପୁଣି ଥରେ ୪୦ଟି କୃଷକ ସଙ୍ଗଠନକୁ ଚିଠି ଲେଖି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ।
ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଆଜି ୨୬ ଦିନରେ ପହଞ୍ଚିଛି । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯାଇ ଆଜି ସବୁ ଆନ୍ଦୋଳନ ସ୍ଥଳରେ ଦିନିକିଆ ଆମରଣ ଅନଶନ କରିବେ ବୋଲି ଚାଷୀନେତାମାନେ ଘୋଷଣା କରିଛନ୍ତି।
କୃଷକମାନେ ଆଗାମୀ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହରିଆଣାର ଜାତୀୟ ରାଜମାର୍ଗରେ ଥିବା ସବୁ ଟୋଲପ୍ଲାଜାକୁ ମୁକ୍ତ କରାଇବେ । ସେପଟେ ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ ଆସନ୍ତା ୨୩ ତାରିଖରେ କୃଷକ ଦିବସ ପାଳନ କରିବେ ବୋଲି କହିଛନ୍ତି । ଚାଷୀମାନଙ୍କୁ ସମର୍ଥନ ଜଣାଇ ସେହିଦିନ ମଧ୍ୟାହ୍ନ ଭୋଜନ ତ୍ୟାଗ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।
ସେହିଭଳି ଡିସେମ୍ବର ୨୭ ତାରିଖ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ପ୍ରସାରଣ ଠାରୁ ଶେଷ ହେବା ପର୍ଯ୍ୟନ୍ତ ଥାଳି ବଜାଇବାକୁ ସେ ଲୋକଙ୍କୁ ନିକଟରେ ଅପିଲ କରିଛନ୍ତି ।