କୃଷକ ଆନ୍ଦୋଳନରେ ନୂତନ ମୋଡ: ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଆଜି ସନ୍ଧ୍ୟା ୭ଟାରେ କୃଷକ ନେତାଙ୍କୁ ଭେଟିବାକୁ ଡାକିଛନ୍ତି ଅମିତ୍ ଶାହା
8/12/2020 at 4:08 PM

ନୂଆଦିଲ୍ଲୀ ୦୮।୧୨: କୃଷି ଆଇନ ବିରୋଧରେ ଆଜି କୃଷକ ସଂଗଠନ ଗୁଡିକ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଯେମିତି ଭାରତ ବନ୍ଦର ମିଆଦ ଶେଷ ହୋଇଛି, କେନ୍ଦ୍ର ସରକାର ଆକ୍ସନ ମୋଡକୁ ଆସିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ମଙ୍ଗଳବାର ସନ୍ଧ୍ୟା ୭ଟାରେ କୃଷକ ନେତାଙ୍କ ସହ ସାକ୍ଷାତ କରିବେ। ଭାରତୀୟ କିଷାନ ସଂଘର ରାକେଶ ଟିକୈତ ଏହି ସୂଚନା ଦେଇଛନ୍ତି। ଏହା ସାକ୍ଷାତ ଆସନ୍ତାକାଲି କୃଷକ ନେତା ଓ ସରକାରଙ୍କ ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ବୈଠକ ପୂର୍ବରୁ ହେଉଛି।
ରାକେଶ ଟିକୈତଙ୍କ ଅନୁଯାୟୀ ଏବେ ସମସ୍ତ କୃଷକ ଦିଲ୍ଲୀର ସିନ୍ଧୁ ବର୍ଡର ଅଭିମୁଖେ ଯାଉଛନ୍ତି। ଏହା ପରେ ସନ୍ଧ୍ୟା ୭ଟାରେ ଗୃହ ମନ୍ତ୍ରୀଙ୍କୁ ଭେଟିବେ। ଏହି ବୈଠକରେ ୧୪-୧୫ କୃଷକ ନେତା ସାମିଲ ହୋଇ ପାରନ୍ତି ବୋଲି ଟିକୈତ କହିଛନ୍ତି।
We have a meeting with the Home Minister at 7 pm today. We are going to Singhu Border now and from there we will go to the Home Minister: Rakesh Tikait, Spokesperson, Bharatiya Kisan Union pic.twitter.com/IWY2G1rMzZ
— ANI UP (@ANINewsUP) December 8, 2020
ସେ କହିଛନ୍ତି, ଆମେ ଏବେ ମଧ୍ୟ ନିଜ ଦାବିରେ ଅଟଳ ରହିଛୁ। ଗୃହ ମନ୍ତ୍ରୀଙ୍କ ସହ ଏ ସଂପର୍କରେ ଆଲୋଚନା କରାଯିବ। ରାକେଶ ଟିକୈତ ଆଶା ପ୍ରକାଶ କରିଛନ୍ତି ଯେ, ଗୃହ ମନ୍ତ୍ରୀଙ୍କ ସହ ବୈଠକରେ କିଛି ସକରାତ୍ମକ ଫଳାଫଳ ମିଳିପାରେ।
ସୂଚନାଯୋଗ୍ୟ, କୃଷକ ଓ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ମଧ୍ୟରେ ବୈଠକ ସେହି ସମୟରେ ହେବାକୁ ଯାଉଛି, ଯେତେବେଳେ ବୁଧବାର କୃଷକ ଓ ସରକାରଙ୍କ ମଧ୍ୟରେ ଷଷ୍ଠ ରାଉଣ୍ଡ ବୈଠକ ହେବାକୁ ଯାଉଛି। କୃଷକ ସଂଗଠନ ଏହା ପୂର୍ବରୁ ମଧ୍ୟ ଅନେକ ଥର କୃଷି ଆଇନ କହିଛନ୍ତି ଯେ, ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା କରିବା ଉଚିତ୍। ହେଲେ ସରକାର ଓ କୃଷକ ମଧ୍ୟରେ ହୋଇଥିବା ଆଲୋଚନା ବେଳେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ଵ କରୁଥିଲେ।

କୃଷି ଆଇନ ବିରୋଧରେ ପଞ୍ଜାବ ଓ ଅନ୍ୟ ରାଜ୍ୟର କୃଷକ ସଂଗଠନ ଦିଲ୍ଲୀ ସୀମାରେ ଗତ ୧୩ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। କୃଷକମାନେ ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। ଏହାକୁ ନେଇ ସରକାରଙ୍କ ସହିତ ଏ ପର୍ଯ୍ୟନ୍ତ ପାଞ୍ଚ ଥର ବୈଠକ ମଧ୍ୟ ହୋଇ ସାରିଛି। ଏହା ମଧ୍ୟରେ ଆଜି କୃଷକ ସଂଗଠନଗୁଡିକଙ୍କ ଦ୍ଵାରା ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଅନେକ ଟ୍ରେଡ ୟୁନିୟନ ସହିତ ବିଭିନ୍ନ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଦେଇଛନ୍ତି। କୃଷକ ସଂଗଠନ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା ଓ ପଞ୍ଜାବର ସୀମାରେ ବ୍ୟାପକ ପ୍ରଦର୍ଶନ କରିଛନ୍ତି।