କୃଷି ଆଇନ ରବ୍ଦ ହେବ ନାହିଁ, ଆଜି ହେବନାହିଁ କୌଣସି ବୈଠକ, କୃଷକଙ୍କୁ ଲିଖିତ ପ୍ରସ୍ତାବ ଦେବେ ସରକାର

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ, ୦୯|୧୨: କୃଷି ଆଇନକୁ ନେଇ ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ ଓ ୧୩ କୃଷକ ସଙ୍ଗଠନ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ବୈଠକରେ କୌଣସି ସମାଧାନର ରାସ୍ତା ବାହାରି ନାହିଁ । ଆଲୋଚନା ପରେ ଅଖିଳ ଭାରତୀୟ କୃଷକ ସଭାର ମହାସଚିବ ହନନ ମୁଲ୍ଲା ସରକାର ଯେଉଁ ସଂଶୋଧନ ଚାହୁଁଛନ୍ତି ତାହା ଲିଖିତ ଆକାରରେ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି । ହନ୍ନନ ମୁଲ୍ଲା ଆହୁରି କହିଛନ୍ତି ଯେ, ଶାହଙ୍କ ସହ ଆଲୋଚନା ବେଳେ ସମସ୍ତ ୧୩ଟି କୃଷକ ସଙ୍ଗଠନ କୃଷି ଆଇନକୁ ରବ୍ଦ ପାଇଁ ଦାବି କରିଥିଲେ । ଏହାସହ ବୁଧବାର ଆଉ ସରକାରଙ୍କ ସହ ଆଲୋଚନା କରାଯିବ ନାହିଁ ବୋଲି ସେ କହିଛନ୍ତି । କାରଣ ସରକାର କୃଷି ଆଇନକୁ ରବ୍ଦ କରିବା ପାଇଁ ପ୍ରସ୍ତୁତ ନାହାଁନ୍ତି ।

ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀର ସୀମାରେ ପ୍ରଦର୍ଶନ କରୁଥିବା କୃଷକ ନେତାଙ୍କ ସହ ସରକାର ବୁଧବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା କରିବା ନେଇ ସମ୍ଭାବନା ରହିଛି । ଏହାପୂର୍ବରୁ ମଙ୍ଗଳବାର ଗୃହମନ୍ତ୍ରୀ କୃଷକ ସଙ୍ଗଠନ ସହ ଆଲୋଚନା କରିଥିଲେ । ଏତତ୍ ବ୍ୟତୀତ ବୁଧବାର ଗୃହମନ୍ତ୍ରୀଙ୍କ ସହ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଖାଦ୍ୟମନ୍ତ୍ରୀ ପିୟୁଷ ଗୋଏଲ ୪୦ଟି କୃଷକ ସଙ୍ଗଠନ ସହ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି । କିନ୍ତୁ ହନ୍ନନ ମୁଲ୍ଲା କହିସାରିଛନ୍ତି ଯେ ବୁଧବାର କୌଣସି ଆଲୋଚନା ହେବ ନାହିଁ ।

ସୂଚନାଯୋଗ୍ୟ, ସରକାର ଓ କୃଷକଙ୍କ ମଧ୍ୟରେ ପାଞ୍ଚୋଟି ପର୍ଯ୍ୟାୟରେ ଆଲୋଚନା ବିଫଳ ହୋଇଛି । ଏହାପରେ ଷଷ୍ଠ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍ପର୍ସ ବାହାରିବ ବୋଲି ଆଶା କରାଯାଉଥିଲା । ସରକାର ଆଇନରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ କୃଷକ ସଙ୍ଗଠନ ଏହାକୁ ସମ୍ପୂର୍ଣ୍ଣ ଭାବେ ରବ୍ଦ କରିବାକୁ ଦାବି କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.