ଚିନ୍ତାରେ ଚାଷୀ : ସମ୍ବଲପୁର ମଣ୍ଡିରେ ଫସଲ ବିକିବା ପାଇଁ ଦିନ ରାତି ଅପେକ୍ଷା କରି ବସିଛନ୍ତି ଚାଷୀ, ମଣ୍ଡିକୁ ଆସୁନାହାନ୍ତି ମିଲର
16/11/2018 at 10:50 AM

ସମ୍ବଲପୁର ୧୬|୧୧: ମରୁଡି, ରୋଗ ପୋକ ସହ ଯୁଝିବା ପରେ ଯାହା କିଛି ଫସଲ ବଞ୍ଚିଥିଲା ଏବେ ତାକୁ ବିକିବା ଚିନ୍ତାରେ ଚାଷୀ । ସମ୍ବଲପୁର ମଣ୍ଡିରେ ଦିନ ରାତି ଚାଷୀ ଅପେକ୍ଷା କରି ବସିଛି, କେବେ ଧାନ ବିକ୍ରି ହେବ । ସମ୍ବଲପୁରରେ ୧୪ ତାରିଖରେ ଧାନକିଣା ହେବାର ଥିଲା । ତେଣୁ ଚାଷୀମାନେ ଗାଡି ଭଡାକରି ଧାନ ନେଇ ମଣ୍ଡିକୁ ଆସିଥିଲେ । ହେଲେ ପହଞ୍ଚିଲା ବେଳେକୁ କାହାରି ଦେଖାନାହିଁ । ଧାନ କିଣିବାକୁ ମଣ୍ଡିକୁ ମିଲର୍ ଆସୁନାହାଁନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟିର କୌଣସି ସଦସ୍ୟଙ୍କର ବି ଦେଖା ଦର୍ଶନ ନାହିଁ । ଦିନ ସାରା ଚାଷୀମାନେ ଧାନକୁ ଜଗି ବସିଛନ୍ତି । ରାତିରେ ପ୍ରବଳ ଥଣ୍ଡା । ହେଲେ କଷ୍ଟ ଅର୍ଜିତ ଫସଲ ଛାଡ଼ି ଯିବେ କୁଆଡ଼େ ? ଜିଲ୍ଲା ଯୋଗାଣ ଅଧିକାରୀ ଓ ମିଲରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁଁ ଏମିତି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଧାନକିଣିବାକୁ ଥିବା ମିଲରମାନେ ଆନ୍ଦୋଳନ ଚଳାଇଛନ୍ତି । ତେଣୁ ଧାନ କିଣାଯାଇପାରୁନାହିଁ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ପ୍ରଶ୍ନ ଉଠୁଛି ଯଦି ମିଲର୍ ମାନେ ଆନ୍ଦୋଳନ କରିଛନ୍ତି, ତେବେ ଚାଷୀମାନଙ୍କୁ ପୂର୍ବରୁ କାହିଁକି ଅବଗତ କରାଗଲାନି ? ଅଯଥା ଖର୍ଚ୍ଚାନ୍ତ ହୋଇ ଚାଷୀମାନେ ଆସିଲେ କାହିଁକି । ପ୍ରକୃତରେ ମିଲରମାନେ ଆନ୍ଦୋଳନ କରିଛନ୍ତି, ନା ସେମାନଙ୍କୁ ଠିକ୍ ଧାନକିଣା ସମୟରେ ଆନ୍ଦୋଳନ କରିବାକୁ କୁହାଯାଇଛି ?