ପୋଲିସ ଆକ୍ସନ ଭୟ, ସୀମାରେ ରାତି ସାରା ଅନିଦ୍ରା ରହିଲେ ଚାଷୀ
28/01/2021 at 8:17 AM

ନୂଆଦିଲ୍ଲୀ,୨୮/୦୧: ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ବୁଧବାର ରାତିରେ ଗାଜୀପୁର ସୀମାରେ ଆନ୍ଦୋଳନରତ୍ତ କୃଷକମାନେ ରାତି ସାରା ଅନିଦ୍ରା ରହିଥିଲେ । ପୋଲିସ ପ୍ରଶାସନର ଆକ୍ସନ ଭୟରେ କୌଣସି ଚାଷୀ ରାତିରେ ଶୋଇନଥିଲେ।
ଚାଷୀ ନେତା ରାକେଶ ଟିକୈତ କହିଛନ୍ତି ଯେ, ପୋଲିସ ରାତିରେ ଲାଇନ କାଟିଦେଇଥିଲା । ଏପରିକି ଆନ୍ଦୋଳନକୁ ଭଣ଼୍ଡୁର କରିବାକୁ ପୋଲିସ ଚାହୁଁଛି । ମାହୋଲକୁ ବିଗାଡିବାକୁ ଚାହୁଁଛି ପ୍ରଶାସନ । ତେଣୁ ସେମାନେ ରାତି ଅନିଦ୍ରା ରହିଥିଲେ । ଏହାସହ କୃଷକଙ୍କ ବିରୋଧରେ ମାମଲା ରୁଜୁକୁ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ପୋଲିସର ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ । ଆଉ କିଛି କୃଷକ ସଙ୍ଗଠନ ହଠାତ କେଉଁଆଡେ ଗାଏବ ହୋଇଯାଇଛନ୍ତି । କିନ୍ତୁ ସେମାନଙ୍କର ଆନ୍ଦୋଳନ ଜାରି ରହିବ । ଲାଲକିଲ୍ଲାରେ ଯାହା ହୋଇଛି ଓ ଏହା ପଛରେ ଯିଏ ଦାୟୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ।
କୃଷକଙ୍କୁ ଉସକାଇବା ଭିଡିଓକୁ ନେଇ ସେ କହିଛନ୍ତି ଯେ, ଏଥିରେ ସେ କିଛି ଭୁଲ କହିନାହାଁନ୍ତି । ପତାକା ଲଗାଇଲେ ଭୁଲ ନୁହେଁ । ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାର ଚାଲ୍ ଚଳାଇଛନ୍ତି । ନେତା ଭୀମ ସିଂଙ୍କ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତିକୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ।