ମୁଜାଫରନଗରରେ କୃଷକ ମହାପଞ୍ଚାୟତ ଶେଷ : ଚାଷୀ ନେତାଙ୍କ ବୟାନ, ‘ବିଲ୍ ପ୍ରତ୍ୟାହାର ନହେବା ଯାଏଁ ଜାରି ରହିବ ଆନ୍ଦୋଳନ’

Published By : Prameya-News7 Bureau | January 29, 2021 IST

ମୁଜାଫରନଗର ୨୯/୦୧ : ଉତ୍ତର ପ୍ରଦେଶର ମୁଜାଫରନଗରରେ ଚାଲୁଥିବା କୃଷକ ମହାପଞ୍ଚାୟତ ଶେଷ ହୋଇଛି । କୃଷକ ମହାପଞ୍ଚାୟତ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିଅନ ଅଧ୍ୟକ୍ଷ ନରେଶ ଟିକାୟତ । ସେ ଏକ ବୟାନ ଜାରି କରି ସ୍ପଷ୍ଟଭାବେ କହିଛନ୍ତି ଯେ, ଚାଷୀ ଆନ୍ଦୋଳନ ଆଗକୁ ଜାରି ରହିବ ।

ନରେଶ ଟିକାୟତ କହିଛନ୍ତି, ‘ସରକାର ଅଧର୍ମୀ ହେଉଛନ୍ତି । ଯଦି ସରକାର ଚାହିଁଥାନ୍ତେ ତେବେ ଏହି ସମସ୍ୟାର ସମାଧାନ ହୋଇପାରିଥାନ୍ତା । ଯଦି ଆଗକୁ ଏହାର ସମାଧାନ ନହୁଏ ତେବେ ଆନ୍ଦୋଳନ ଜାରି ରହିବ’ । ଏହି ବୈଠକ ପରେ ଆରଏଲଡି ନେତା ଜୟନ୍ତ ଚୌଧୁରୀ କହିଛନ୍ତି, ଯେ ପର୍ଯ୍ୟନ୍ତ ନୂଆ କୃଷି ଆଇନ ରଦ୍ଦ ନହୋଇଛି ସେ ଯାଏଁ ଆନ୍ଦୋଳନ ଜାରି ରହୁ ।

ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଜିଦ୍‌ରେ ଅଟଳ ଥିବା ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମା ଗାଜୀପୁରରେ ଭାରତୀୟ କିଷାନ ୟୁନିଅନ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ଚାଷୀ ମହାପଞ୍ଚାୟତରେ ଏକାଠି ହୋଇଥିଲେ ।

ଗାଜୀପୁରରେ ବି.କେ.ୟୁ ନେତା ରାକେଶ ଟିକାୟତ ମଞ୍ଚ ଉପରେ କାନ୍ଦିବା ଏବଂ ଦୁଇ ମାସ ଧରି ବିରୋଧ କରୁଥିବା ଚାଷୀଙ୍କୁ ସ୍ଥାନୀୟ ପ୍ରଶାସନ ବିଭିନ୍ନ ହଇରାଣ ହରକତ କରିବାକୁ ଏହି ବୈଠକରେ ନିନ୍ଦା କରାଯାଇଥିଲା । ଗାଜୀପୁରର ୟୁପି ଗେଟ୍ ଠାରେ ହୋଇଥିବା ବିରୋଧକୁ ସମର୍ଥନ କରିବାକୁ ହଜାର ହଜାରେ ସଂଖ୍ୟାରେ ଚାଷୀ ଏକତ୍ରିତ ହୋଇଥିଲେ ।

କୃଷକମାନଙ୍କର ମୁଜାଫରନଗର ସମ୍ମିଳନୀକୁ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ଅଜିତ ସିଂ ମଧ୍ୟ ବି.କେ.ୟୁକୁ ସମର୍ଥନ କରିଥିଲେ ଏବଂ ତାଙ୍କ ପୁଅ ଜୟନ୍ତ ଚୌଧୁରୀ ମଧ୍ୟ ମହାପାଞ୍ଚୟତରେ ଭାଗ ନେଇଥିଲେ । ପାର୍ଟି ଉପାଧ୍ୟକ୍ଷ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ଆରଏଲଡି ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଜିତ ସିଂ ବି.କେ.ୟୁ ସଭାପତି ନରେଶ ଟିକାୟତ ଏବଂ ମୁଖପାତ୍ର ରାକେଶ ଟିକାୟତଙ୍କ ସହ ଆଲୋଚନା କରିଛନ୍ତି । କୃଷି ବିଲ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀନେତା ମାନେ ସ୍ପଷ୍ଟ ଭାବେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.