ଟ୍ରାକ୍ଟର ପରେଡରେ ନିଜ ଲୋକଙ୍କୁ ଅନିୟନ୍ତ୍ରିତ ହେଉଥିବା ଦେଖି 'ଗ୍ୟାରେଣ୍ଟର' କିଷାନ ନେତା ଫେରାର

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬।୧: ଦିଲ୍ଲୀ ସୀମାରେ ଆନ୍ଦୋଳନ ଯେପରି ଶାନ୍ତିପୂର୍ଣ୍ଣ ଚାଲିଛି ସେହିପରି ଚାଷୀଙ୍କ ଟ୍ରାକ୍ଟର ପରେଡ ମଧ୍ୟ ଶାନ୍ତିପୂର୍ଣ୍ଣ ଅନୁଷ୍ଠିତ ହେବ। ଦିଲ୍ଲୀ ପୋଲିସକୁ ଏହି ଏହି ଗ୍ୟାରେଣ୍ଟିରେ ଟ୍ରାକ୍ଟର ପରେଡ ଲାଗି ରାଜି କରିଥିଲେ କୃଷକ ନେତା। ହେଲେ ପରେଡ ବେଳର ପରିସ୍ଥିତିକୁ ଦେଖି ସମସ୍ତେ ଏବେ ଗାୟବ ହୋଇଯାଇଛନ୍ତି।

ନିଜକୁ କୃଷକ ଆନ୍ଦୋଳନର ସରପଞ୍ଚ ଭାବୁଥିବା ଆତ୍ମଘୋଷିତ କୃଷକ ନେତାଙ୍କୁ ଆଜି ସବୁ ଦୃଷ୍ଟିରୁ ଦିଲ୍ଲୀ କାଣ୍ଡ ପାଇଁ ଦାୟି ମନେ କରାଯାଉଥିବା ବେଳେ ସେମାନେ ଏବେ ଦୃଷ୍ଟିପଟରେ ନାହାନ୍ତି। ଏପରି ଟ୍ରାକ୍ଟର ପରେଡକୁ ଅନୁମତି ଦିଆଯାଇପାରିବନି ବୋଲି ଦିଲ୍ଲୀ ପୋଲିସ ଏହି ନେତାମାନଙ୍କୁ ଅନେକ ବୁଝେଇଥିଲା।  ହେଲେ ସେମାନେ ଶାନ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି ପୋଲିସକୁ ଗୋଟିଏ ପରେ ଗୋଟିଏ ଅନେକ ଉଦାହରଣ ଦେଇଥିଲେ।

କେବଳ ସେତିକି ନୁହେଁ ୨୬ ଜାନୁୟାରୀ ଦିଲ୍ଲୀ ଟ୍ରାକ୍ଟର ପରେଡ ଲାଗି ପୋଲିସକୁ ଲିଖିତ ଗ୍ୟାରେଣ୍ଟି ମଧ୍ୟ ଦେଇଥିଲେ। ଯାହାବି ହୋଇଯାଉ ଚାଷୀ ଟ୍ରାକ୍ଟର ପରେଡରେ ଆଇନ ସହ ଖେଳିବେନି ବୋଲି କାଗଜରେ ଲେଖିକି ପୋଲିସକୁ ଦେଇଥିଲେ।  ହେଲେ ଠିକ୍‌ ବେଳକୁ କେହି ଦେଖା ମିଳିନଥିଲେ। ଫଳ ହୋଇଥିଲା ରାଜଧାନୀ ଦିଲ୍ଲୀ ଓ ଲାଲକିଲ୍ଲା ଦୀର୍ଘ ଘଣ୍ଟା ଧରି ଉପଦ୍ରବୀଙ୍କ ବନ୍ଧକ ହୋଇଥିଲା।

ଦିନ ତମାମ ଚାଷୀ ପୋଲିସ ଗୋଡାଗୋଡିରେ କଟିଥିଲା। ସନ୍ଧ୍ୟାବେଳକୁ ସବୁ ସରିବା ପରେ ଦିଲ୍ଲୀର କେଉଁ କୋଣରେ ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ବୋଲାଉଥିବା ନେତା ରାକେଶ ଟିକାୟତ ଗଣମାଧ୍ୟମରେ ଦେଖାଯାଇଥିଲେ। ଯାହା କହିଲେ ତାହାବି ଅବିଶ୍ୱାସନୀୟ ଥିଲା। ଦିନତମାମ ଯେଉଁମାନେ ଦିଲ୍ଲୀରେ ଉତ୍ପାତ କରୁଥିଲେ ସେମାନେ ସବୁ ଚାଷୀ ନଥିଲେ କି ସେମାନଙ୍କ ସହ ଆମର ଅଥବା ସଙ୍ଗଠନର କିଛି ସମ୍ପର୍କ ନାହିଁ ବୋଲି କହିବା ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଥିଲା।

ଏବେ କୃଷକନେତାଙ୍କୁ ଖୋଜୁଛି ଦିଲ୍ଲୀ ପୋଲିସ
ଟ୍ରାକ୍ଟର ପରେଡ ପାଇଁ ବଡବଡ ଭାଷଣ ଦେଉଥିଲେ। ପୋଲିସ ଚେତାବନୀ ସତ୍ତ୍ୱେ ରାଜି କରାଇଥିଲେ। ଏଥିପାଇଁ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏତେ ପରେ ବି ପୋଲିସ ଚେତାବନୀ ପ୍ରମାଣିତ ହେଲା। ହେଲେ ସେତେବେଳକୁ ପୋଲିସକୁ ଗ୍ୟାରେଣ୍ଟ ଦେଇଥିବା ଗ୍ୟାରେଣ୍ଟରଙ୍କ ଦେଖା ନଥିଲା।  ଯୋଗାଯୋଗରୁ ମଧ୍ୟ ଦୂରେଇ ଯାଇଥିଲେ। ଏଣୁ ପ୍ରଥମେ ସେମାନଙ୍କୁ ଖୋଜିଲେ ଉପଦ୍ରବୀଙ୍କ ସନ୍ଧାନ ମିଳିବ ବୋଲି ପୋଲିସ ଭାବୁଛି। ଏଥିଲାଗି ଖୁ୍ବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.