୨୨ ଜାନୁୟାରୀ ବୈଠକରେ କୃଷିଆଇନ ନେଇ ବାହାରିପାରେ ସମାଧାନର ବାଟ
20/01/2021 at 10:45 PM

ନୂଆଦିଲ୍ଲୀ ୨୦।୧: କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନକୁ ନେଇ ଉପୁଜିଥିବା କୃଷକ ଅସନ୍ତୋଷର ସମାଧାନ ଜନୁୟାରୀ ୨୨ ବୈଠକରେ ହୋଇପାରେ। ବୁଧବାର ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ସରକାର ଓ କୃଷକ ନେତାଙ୍କ ୧୦ମ ରାଉଣ୍ଡ ବୈଠକର ଫଳାଫଳରୁ ଏହା ଜଣାପଡିଛି।
କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳ, ବାଣିଜ୍ୟ ଏବଂ ଖାଦ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ୪୦ଟି କୃଷକ ସଙ୍ଗଠନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଚାଷୀଙ୍କୁ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବର ଅଭିନନ୍ଦନ ଜ୍ଞାପନ କରିବା ସହ ସେମାନଙ୍କ ସମ୍ମୁଖରେ ସରକାରଙ୍କ ପ୍ରସ୍ତାବ ରଖିଥିଲେ।

ତୋମାର ଆଇନକୁ ସ୍ଥଗିତ ରଖି ସରକର ଓ କୃଷକଙ୍କର ଏକ କମିଟି ଗଠନ ଲାଗି ପ୍ରସ୍ତାବ ଦେଇଥିଲେ। ତେବେ ଚାଷୀ ସଂଶୋଧିତ କୃଷି ଆଇନ ସମେତ ସମ୍ପର୍କିତ ଅନ୍ୟ ୨ଟି ଆଇନକୁ ମଧ୍ୟ ବିରୋଧ କରୁଛନ୍ତି। ଏଣୁ ସମସ୍ତ ୩ଟି ଜାକ ଆଇନକୁ କୃଷି ଓ କୃଷକ ବିରୋଧି କହିବା ସହ ପ୍ରତ୍ୟାହାର ଦାବି କରୁଛନ୍ତି ବୋଲି କୃଷକ ନେତାମାନେ କହିଥିଲେ । ଏଣୁ ଆଇନକୁ ସ୍ଥଗିତ କରିବାର ଯଥାର୍ଥତା ନେଇ ସେମାନେ ପ୍ରଶ୍ନ କରିଥିଲେ। ତେବେ ଆଇନକୁ ହୋଲ୍ଡ କରି କମିଟି ଗଠନ ଲାଗି କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଏଥିରେ କୃଷକ ସଙ୍ଗଠନ ନେତାମାନେ ଏକ ନିଶ୍ଚିତ ସମୟ ପର୍ଯ୍ୟନ୍ତ ଆଇନକୁ ନିଲମ୍ବିତ କରିବା ଓ କମିଟି ଗଠନ ଲାଗି ସୁପ୍ରିମକୋର୍ଟଙ୍କୁ ମିଳିତ ଆଫିଡେଭିଟ ପ୍ରଦାନ ଲାଗି ପ୍ରସ୍ତାବ ଦେଇଛନ୍ତି।
ସେହିପରି ଦେଶର କୃଷକ ସଙ୍ଗଠନ କିଛି ଅଞ୍ଚଳର ଚାଷୀ ଓ ସେମାନଙ୍କ ସଙ୍ଗଠନ ନୁହେଁ ବୋଲି କୃଷକ ନେତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି। ଅନୁନ୍ୟ ୫ଶହ ଚାଷୀ ସଙ୍ଗଠନ ଓ ସେମାନଙ୍କ ସହ ଆଲୋଚନା କରି ଆମେ ପରବର୍ତ୍ତି ବୈଠକରେ ନିଷ୍ପତ୍ତି ଜଣାଇବୁ ବୋଲି ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ କହିଥିବା ବେଳେ ଜାନୁୟାରୀ ୨୨ ତାରିଖକୁ ପରବର୍ତ୍ତି ବୈଠକ ଧାର୍ଯ୍ୟ କରିଛନ୍ତି।

ବୈଠକରେ ଚାଷୀଙ୍କ ଦାବି ପ୍ରତି ସରକାର ନରମି ଥିବା ଜଣାପଡିଛି। ସେହିପରି ଚାଷୀ ସେମାନଙ୍କ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ମଝିକୁ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଉଭୟ ସରକାର ଓ ଚାଷୀ ସୁପ୍ରିମକୋର୍ଟଙ୍କୁ ମିଳିତ ଆଫିଡେଭିଟ ପ୍ରଦାନ ଲାଗି ପ୍ରସ୍ତାବ ଦେଇଛନ୍ତି। ଦେଶର କୃଷକ ସଙ୍ଗଠନଙ୍କ ମତାମତ ସମ୍ପର୍କରେ ମିଳିତ କୃଷକ ସଙ୍ଗଠନ ହୁଏତ ଜାନୁୟାରୀ ୨୨ ବୈଠକରେ ସରକାରଙ୍କୁ ସକରାତ୍ମକ ନିଷ୍ପତ୍ତି ଜଣାଇବେ ବୋଲି ଆଶା କରାଯାଉଛି। ସେହିପରି ବୈଠକରେ ଜାରି ଆନ୍ଦୋଳନ ନେଇ ବଡ଼ ନିଷ୍ପତ୍ତି ମଧ୍ୟ ହୋଇପାରେ ବୋଲି ଆଶା କରାଯାଉଛି।