୨୦୦ ଟଙ୍କିଆ ଭଡ଼ା ଜମିରୁ ମିଳିଲା ୬୦ ଲକ୍ଷର ହୀରା, ରାତାରାତି ଲକ୍ଷପତି ହୋଇଗଲେ ଚାଷୀ

Published By : Prameya-News7 Bureau | December 07, 2020 IST

ଭୋପାଳ ୦୭/୧୨: ଭାଗ୍ୟ ଖୋଲିଗଲା ! ରାତାରାତି ଲକ୍ଷପତି ହୋଇଗଲେ ଜଣେ ଗରିବ ଚାଷୀ। ଚାଷ କଲେ ଘରେ ଚୁଲି ଜଳୁଥିଲା। ଏବେ କିନ୍ତୁ ସବୁ ଦୁଃଖ ଦୂର ହୋଇଗଲା। ମାତ୍ର ୨୦୦ ଟଙ୍କା ଜମି ଲିଜ୍‌ରେ ନେଇ ଚାଷ କରୁଥିବା ଚାଷୀ ଆଜି ଲକ୍ଷପତି। ମଧ୍ୟପ୍ରଦେଶର ପାନ୍ନାର ଜଣେ କ୍ଷୁଦ୍ର ଚାଷୀ ନାଁରେ ଜଣାଯାଆନ୍ତି ଲଖନ ଯାଦବ। ନିଜର ଜମି କମ୍‌ ଥିବାରୁ ୨୦୦ ଟଙ୍କାରେ କିଛି ଜମି ନେଇ ଚାଷ କରନ୍ତି। କିନ୍ତୁ କିଏ ଜାଣିଥିଲା ସେହି ଜମି ପାଇଁ ସେ ରାତା ରାତି ଲକ୍ଷପତି ହୋଇପାରିବେ। ସେହି ଜମିରେ ହଳ କରିବା ବେ​‌ଳେ ତାଙ୍କୁ ମିଳିଛି ୧୪.୯୮ କ୍ୟାରେଟର ହୀରା । ହୀରାର ଦାମ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୬୦ ଲକ୍ଷ ଟଙ୍କା।

ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଲଖନ ଯାଦବ ଜମିରେ ହଳ କରୁଥିବା ବେଳେ ଏହି ହୀରାକୁ ପାଇଛନ୍ତି। ପ୍ରଥମେ ସେ ଏହାକୁ ଏକ ଚକ୍‌ ଚକ୍‌ କରୁଥିବା ପଥର ବୋଲି ଭାବିଥିଲେ। କିନ୍ତୁ ପଥରଟିର ଚମକ ଦେଖି ସେ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ପରେ ଏହାକୁ ଜିଲ୍ଲା ହୀରା ଅଧିକାରୀଙ୍କ ପାଖକୁ ନେଇ ଏହା ପ୍ରକୃତରେ ହୀରା ବୋଲି ଜାଣିବାକୁ ପାଇଥିଲେ ବୋଲି ଲଖନ କହିଛନ୍ତି।

ତେବେ ହୀରାଟିର ନିଲାମ ଶନିବାର ଦିନ ହୋଇଛି। ଏହାକୁ ୬୦.୬ ଲକ୍ଷରେ ବିକ୍ରି କରାଯାଇଥିବା ବେଳେ ଲଖନ ରାତାରାତି ଲକ୍ଷପତି ପାଲଟିଯାଇଛନ୍ତି। ଏକା ବେଳେ ୬୦ ଲକ୍ଷ ଟଙ୍କା ପାଇଥିବା ଲଖନ କିନ୍ତୁ ନଜର ୪ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲଗାଇବେ ବୋଲି କହିଛନ୍ତି। ଏହା ସହ ସେ କହିଛନ୍ତି, ‘ମୁଁ କିଛି ବଡ଼ କରିବାକୁ ଚାହୁଁନି। ମୁଁ ଶିକ୍ଷିତ ନୁହେଁ। କିନ୍ତୁ ଏହି ଅର୍ଥକୁ ଫିକ୍ସ ଡିପୋଜିଟ୍‌ କରିବା ସହ ମୋ ୪ ଛୁଆଙ୍କ ମଣିଷ କରିବି।’

ମିଳିଥିବା ସୂଚନା ଅନୁସାରେ, ଯାଦବ ଟଙ୍କା ପାଇବା ପରେ ଲକ୍ଷେ ଟଙ୍କାରେ ଏକ ବାଇକ୍‌ କିଣିଛନ୍ତି। ଏହା ସହ ସେ ଜମିରେ ଖୋଳିବା ଜାରି ରଖିବି ବୋଲି କହିବା ସହ ପୁଣି ଥରେ ହୀରା ପାଇବେ ବୋଲି ଆଶା ରଖିଛନ୍ତି ଲଖନ ଯାଦବ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଜଣେ କୃଷକ ହୀରା ପାଇଛନ୍ତି। ଏହା ପୂର୍ବରୁ ପାନ୍ନାର ଜଣେ ଶ୍ରମିକ ୩ଟି ହୀରା ପାଇଥିଲେ ଯାହାର ଦାମ ୩୦ରୁ ୩୫ ଲକ୍ଷ ଟଙ୍କା ମଧ୍ୟରେ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.