ଟଙ୍କା ମାଗିଲେ, ଗିରଫ ହେଲେ: ହକ୍ ପାଇଁ ଧାରଣା ଦେଇଥିଲେ ଚାଷୀ, କୋଭିଡ୍ ନିୟମ ଆଳରେ ଗିରଫ କଲା ପୋଲିସ

Published By : Prameya-News7 Bureau | September 14, 2020 IST

କେନ୍ଦୁଝର, ୧୪|୦୯ :  କେନ୍ଦୁଝର ସାହାରପଡା ଲ୍ୟାମ୍ପରେ ଦୀର୍ଘ ୬ ମାସ ହେବ ଧାନ ବିକି ଚାଷୀ ସେମାନଙ୍କ ମୂଲ୍ୟ ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି । ୬ ମାସ ଭିତରେ ୩ ଥରରୁ ଅଧିକ ଥର ଜିଲ୍ଲାପାଳଙ୍କୁ ନେହୁରା ହୋଇଥିଲେ ମଧ୍ୟ  ଫଳ ଶୁନ । ବାଧ୍ୟ ହୋଇ ପଇସା ପାଇବା ଆଶାରେ ରବିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିଥିଲେ । ଟଙ୍କା ମିଳିବା ଆଶା ମଉଳି ଗଲା । ଶେଷରେ କୋଭିଡ୍ ଆଇନ ଉଲଂଘନ ଅଭିଯୋଗରେ ପୋଲିସ ଗିରଫ କଲା । ଏପରି ଘଟଣା ନେଇ କେନ୍ଦୁଝର ଚାଷୀ ସମାଜ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରଶାସନର ଅବହେଳା ଓ ଅପାରଗତା ଯୋଗୁଁ ସହରପଡା ବ୍ଲକର ସମବାୟ ସମିତି ଅଧୀନରେ ୬୮ଜଣ ଚାଷୀ ଛଅ ମାସ ହେଲା ଧାନ ବିକ୍ରି କରି ପଇସା ପାଇ ନାହାନ୍ତି । ଏହାକୁ ନେଇ ବିଭିନ ସମୟରେ ଚାଷୀ ମାନେ ପ୍ରଶାସନଙ୍କୁ ଅବଗତ କରାଇଥିଲେ । ଏହାକୁ ନେଇ ପ୍ରଶାସନ ଅଭିଯୁକ୍ତଙ୍କ ବିରୋଧରେ  ପାଟଣା ଥାନାରେ ଏକ ମାମଲା ରୁଜୁ କରିଥିଲେ । ଯାହା ଫଳରେ ପାଟଣା ଥାନା ଘଟଣାର ତଦନ୍ତ କରି ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ତେବେ ଗିରଫ କରି ପ୍ରଶାସନ ଚୁପ ବସିରହିଛି । ଚାଷୀ ମାନେ କିପରି ପଇସା ପାଇବେ ସେ ନେଇ କିଛି ଚିନ୍ତା କରିନାହିଁ । ଏବେ ପୁଣି ଚାଷ କାର୍ଯ୍ୟ ଆରମ୍ଭ ହୋଇ ସରିଥିବା ବେଳେ ଚାଷୀଙ୍କ ହାତ ଖାଲି । ଏଣୁ ଯଥାଶୀଘ୍ର ଚାଷୀଙ୍କୁ ପଇସା ଫେରାଇବା ପାଇଁ ବ୍ୟବସ୍ଥା ଦାବିରେ ପୂର୍ବରୁ ଦିଆଯାଇଥିବା ଚେତାବନୀ ଅନୁଯାୟୀ ଆଜି ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ହାତରେ ଜାତୀୟ ପତାକା ଧରି ବିକ୍ଷୋଭ କରିଥିଲେ।  କିନ୍ତୁ ସେମାନଙ୍କୁ କେହିବି ପ୍ରଶାସନିକ ଅଧିକାରୀ ସାକ୍ଷାତ କରିବା ଦୂରର କଥା ଓଲଟା କୋଭିଡ୍ ନିୟମ ଆଳରେ ୪୦ରୁ ଉର୍ଦ୍ଧ  ଚାଷୀଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.