ସିଙ୍ଘୁ ସୀମାରେ ବିଷ ପିଇ ଆତ୍ମହତ୍ୟା କଲେ ଆଉଜଣେ ଚାଷୀ : କୃଷକଙ୍କ ସମସ୍ୟାର ସମାଧାନ କେବେ ?
9/01/2021 at 9:26 PM

ନୂଆଦିଲ୍ଲୀ ୦୯/୦୧ : ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଗତ ଦେଢ ମାସରୁ ଉର୍ଦ୍ଧ୍ବ ସମୟ ହେଲା ଦିଲ୍ଲୀ ସୀମାଗୁଡିକରେ ଚାଷୀମାନେ ଆନ୍ଦୋଳନ ଜାରି କରିଛନ୍ତି । ଏହାରି ମଧ୍ୟରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶନିବାର ସିଙ୍ଘୁ ସୀମାରେ ୪୦ ବର୍ଷର ଜଣେ ଯୁବ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଚାଷୀଜଣକ ପଞ୍ଜାବର ଅମରିନ୍ଦର ସିଂହ ।
ଅମରିନ୍ଦର ଧାରଣାସ୍ଥଳରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀର୍ଘଦିନ ଧରି ଜାରି ରହିଥିବା ଏହି ଆନ୍ଦୋଳନରେ ଅନେକ ଚାଷୀ ପ୍ରାଣବଳୀ ଦେଇଛନ୍ତି । ଅତ୍ୟଧିକ ଥଣ୍ଡା କାରଣରୁ ଅନେକ ଚାଷୀଙ୍କର ମତ୍ୟୁ ଘଟିଲାଣି । କିଛି ଚାଷୀ ପୂର୍ବରୁ ଧାରଣାସ୍ଥଳରେ ଆତ୍ମହତ୍ୟା ମଧ୍ୟ କରିଛନ୍ତି । ଜାନୁୟାରୀ ୩ ତାରିଖରେ ଟିକରୀ ଏବଂ କୁଣ୍ଡଲୀ ସୀମାରେ ଧାରଣାରତ ୨ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିଲା ।
ଗତ ବର୍ଷ ନଭେମ୍ବର ୨୬ରୁ ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ ୮ ଥର ବୈଠକ ହୋଇସାରିଲାଣି । ବାରମ୍ବାର ବୈଠକ ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରୁନାହିଁ । ଆସନ୍ତା ୧୫ ତାରିଖରେ ସରକାର ଏବଂ ଚାଷୀଙ୍କ ମଧ୍ୟରେ ପୁନର୍ବାର ଆଲୋଚନା ହେବ ।
ଆଶାକରାଯାଉଛି ଏହି ବୈଠକରେ କିଛି ରାସ୍ତା ବାହାରିପାରେ । କାରଣ ୨୬ ଜାନୁୟାରୀରେ ଆନ୍ଦୋଳନ ଚାଷୀମାନେ ଦିଲ୍ଲୀରେ ଟ୍ରାକ୍ଟର ମାର୍ଚ୍ଚ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଚାଷୀ ପ୍ରସଙ୍ଗରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି ।