କେଏଲ ରାହୁଲଙ୍କୁ ମିଳିଲାନି ସୁଯୋଗ, କୋଚ୍ ରବି ଶାସ୍ତ୍ରୀ ଓ ଦଳ ପ୍ରବନ୍ଧକଙ୍କ ଉପରେ ବର୍ଷିଲେ ପ୍ରଶଂସକ
25/12/2020 at 4:31 PM

ନୂଆଦିଲ୍ଲୀ ୨୫।୧୨: ମେଲବୋର୍ଣ୍ଣରେ ଆସନ୍ତାକାଲି ଖେଳା ଯିବାକୁ ଥିବା ବକ୍ସି ଡେ ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛି। ଏହି ମ୍ୟାଚ୍ରେ ଯୁବ ବ୍ୟାଟସମ୍ୟାନ ଶୁଭମାନ ଗିଲ ଓ ଦ୍ରୁତ ବୋଲର ମହମ୍ମଦ ସିରାଜ ଟେଷ୍ଟରେ ପଦାର୍ପଣ କରିବେ।
ସବୁଠୁ ଚକିତକର କଥା କେଏଲ ରାହୁଲ ଚମତ୍କାର ଫର୍ମରେ ଥିଲେ ମଧ୍ୟ ଦ୍ଵିତୀୟ ଟେଷ୍ଟ ପାଇଁ ତାଙ୍କୁ ଚୟନ କରାଯାଇ ନାହିଁ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦଳ ପାଇଁ ଉପଯୋଗ୍ୟ ସାବ୍ୟସ୍ତ ହୋଇଥାନ୍ତେ। ଦମଦାର ଫର୍ମରେ ଥିଲେ ମଧ୍ୟ ଟେଷ୍ଟ ପାଇଁ କେଏଲ ରାହୁଲଙ୍କୁ ଦଳୀୟ ପ୍ରବନ୍ଧକ ଅଣଦେଖା କରିଛନ୍ତି।
କେଏଲ ରାହୁଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିବାରୁ ସାମାଜିକ ଗଣମାଧ୍ୟମରେ କ୍ରିକେଟ୍ ପ୍ରଶଂସକ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଶଂସକ ରାହୁଲଙ୍କୁ ସୁଯୋଗ ନଦେବା ଏବଂ ହନୁମା ବିହାରୀଙ୍କୁ ଦଳରେ ସ୍ଥାନ ଦେବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ସାମାଜିକ ଗଣମାଧ୍ୟମରେ ପ୍ରଶଂସକ ରବି ଶାସ୍ତ୍ରୀ ଓ ଦଳ ପ୍ରବନ୍ଧକଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଲୋକଙ୍କ କହିବା କଥା ଏହି ଅନୁଭବହୀନ ବ୍ୟାଟିଂ ଲାଇନ୍ରେ ଏତେ ଦମ୍ ନାହିଁ, ଯିଏ ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନା କରି ପାରିବେ।
ଟ୍ଵିଟ୍ରରେ କ୍ରିକେଟ୍ ପ୍ରଶଂସକ ଯେବେ ଚୂଡାନ୍ତ ଏକାଦଶର ତାଲିକା ଦେଖିଲେ, ସେମାନେ ହନୁମା ବିହାରୀଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଦଳରେ ସ୍ଥାନ ଦେବା ଉଚିତ୍ ବୋଲି କହିଥିଲେ। ପ୍ରଥମ ଟେଷ୍ଟରେ ହନୁମା ବିହାରୀ ପ୍ରଥମ ଇନିଂସରେ ୧୬ ଓ ଦ୍ଵିତୀୟ ଇନିଂସରେ ୮ ରନ କରିଥିଲେ।
ବିରାଟ କୋହଲି ସ୍ଵଦେଶ ଫେରିବା ପରେ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ସବୁଠୁ ବଡ ଦାବିଦାର କୁହାଯାଉଥିଲା। ରାହୁଲ ୩୬ଟି ଟେଷ୍ଟ ଖେଳି ୨୦୦୬ ରନ କରିଛନ୍ତି। ଏଥିରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ। ଟେଷ୍ଟରେ ରାହୁଲଙ୍କ ସର୍ବୋଚ୍ଚ ସ୍କୋର ୧୯୯ ରହିଛି। ସଂପ୍ରତି ରାହୁଲ ଦମଦାର ଫର୍ମରେ ଅଛନ୍ତି। ଚଳିତ ବର୍ଷ ଆଇପିଏଲରେ ରାହୁଲଙ୍କ କମାଲ ଦେଖିବାକୁ ମିଳିଥିଲା। ସେ ଆଇପିଏଲ-୧୩ରେ ସର୍ବାଧିକ ୬୭୦ ରନ କରି ଅରେଞ୍ଜ କ୍ୟାପର ଅଧିକାରୀ ହୋଇଥିଲେ।
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ମ୍ୟାଚ୍ରେ ମଧ୍ୟ ରାହୁଲ ଦମଦାର ପ୍ରଦର୍ଶନ କରିଥିଲେ। ମେଲବୋର୍ଣ୍ଣ ଟେଷ୍ଟ ଲାଗି ତାଙ୍କୁ ଦଳରେ ସ୍ଥାନ ଦେବା ପ୍ରାୟତଃ ନିଶ୍ଚିତ ଲାଗୁଥିଲା। ହେଲେ ଦଳ ପ୍ରବନ୍ଧକ ହନୁମା ବିହାରୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ଉଚିତ୍ ମଣିଛନ୍ତି। କୋହଲିଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ ଏବଂ ଚେତେଶ୍ଵର ପୂଜାରା ଉପ ଅଧିନାୟକ ରହିବେ। ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ୦-୧ର ପଛୁଆ ରହିଛି।
ଭାରତୀୟ ଟିମ୍– ଆଜିଙ୍କ୍ୟ ରାହେଣେ (ଅଧିନାୟକ), ମୟଙ୍କ ଅଗ୍ରଓ୍ୱାଲ୍, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଷଭ ପନ୍ଥ(ଓ୍ୱିକେଟ୍ ରକ୍ଷକ) , ରବିନ୍ଦର ଜାଡେଜା, ଆର୍. ଅଶ୍ୱିନୀ, ଉମେଶ ଯାଦବ, ଜସପ୍ରିତ ବୁମ୍ରାହ, ମହମ୍ମଦ ସିରାଜ୍ ।