ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବାତ୍ୟା ଫନୀ ରିଲିଫ୍‌ ଓ ପୁନଃନିର୍ମାଣ ସଂପର୍କରେ ଗଣମାଧ୍ୟମକୁ ସୂଚନା

Published By : Prameya-News7 Bureau | May 16, 2019 IST

ଭୁବନେଶ୍ୱର ୧୬/୫/୨୦୧୯ : ‘ଫନୀ’ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃସଂସ୍ଥାପନ ଓ ରିଲିଫ୍‌ ବିତରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ସେହିପରି ସ୍ୱାସ୍ଥ୍ୟସେବା ଉପରେ ପ୍ରାଥମିକତା ଦିଆଯାଇଛି । ଫଳସ୍ୱରୂପ କୌଣସି ଜାଗାରେ ପାଣି ବା ପରିବେଶ ପ୍ରଦୂଷଣ ଦ୍ୱାରା କୌଣସି ସଂକ୍ରାମକ ରୋଗ ବ୍ୟାପି ନାହିଁ । ଅନୁରୂପ ଭାବରେ ଟେଲିଯୋଗାଯୋଗ, ବିଦୁ୍ୟତ ସଂଯୋଗୀକରଣ, ପାନୀୟ ଜଳଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜନଜୀବନ ସ୍ୱାଭାବିକ ହୋଇଉଠିବା ସହିତ ସରକାରୀ ସ୍ତରରେ ବିବିଧ ତତ୍ପରତାର ସହ କାର୍ଯ୍ୟକ୍ରମଗୁଡ଼ିକର ରୂପାୟନ ଅବ୍ୟାହତ ରହିଛି ।

ରିଲିଫ୍‌ ସହାୟତା
ନଗଦ ଅର୍ଥ ଆକାରରେ ରିଲିଫ୍‌ ସହାୟତା ପୁରୀ ଜିଲ୍ଲାରେ ୯୩%, ଖୋର୍ଦ୍ଧା ଜିଲ୍ଲାରେ ୯୬.୨%, ଜଗତସିଂହପୁର ଜିଲ୍ଲାରେ ୯୫%, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୫.୫୧%, କଟକ ଜିଲ୍ଲାରେ ୯୭%, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୮୬.୨% ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ସମୁଦାୟ ୯୪.୯୧ ପ୍ରତିଶତ ହିତାଧିକାରୀଙ୍କୁ ନଗଦ ଅର୍ଥ ରିଲିଫ୍‌ ଆକାରରେ ଦିଆଯାଇଛି । ସେହିପରି ପୁରୀ ଜିଲ୍ଲାରେ ୯୬.୬%, ଜଗତସିଂହପୁରରେ ୯୯%, କେନ୍ଦ୍ରାପଡ଼ା ଜିଲ୍ଲାରେ ୯୦.୪୩%, କଟକ ଜିଲ୍ଲାରେ ୯୮%, ବିଏମ୍‌ସି ଅଞ୍ଚଳରେ ୬୯.୯%, ଖୋର୍ଦ୍ଧା ଜିଲ୍ଲାରେ ୮୬.୫% ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଛି । ଆଜି ସୁଦ୍ଧା ଖୋର୍ଦ୍ଧା, ଜଗତସିଂହପୁର, ଭୁବନେଶ୍ୱର ଏବଂ ପୁରୀରେ ୭ ଲକ୍ଷ ୫୩ ହଜାର ୩୭୭ ହିତାଧିକାରୀଙ୍କ ମଧ୍ୟରୁ ୪ ଲକ୍ଷ ୯୭ ହଜାର ୪୫୧ ଜଣ ହିତାଧିକାରୀଙ୍କୁ ପଲିଥିନ ଅଥବା ପଲିଥିନ୍‌ ବାବଦରେ ଅର୍ଥ ପ୍ରଦାନ କରାଯାଇଛି । ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଏଯାବତ୍‌ ୪ ହଜାର କ୍ୱିଣ୍ଟାଲ ଚୁଡ଼ା, ୭୭୮ କ୍ୱିଣ୍ଟାଲ ଗୁଡ଼ ଓ ୨ ଲକ୍ଷ ୨୫ ହଜାର ବିସ୍କୁଟ ପ୍ୟାକେଟ୍‌ କ୍ଷତିଗ୍ରସ୍ତ ଲୋକମାନଙ୍କୁ ବଣ୍ଟାଯାଇଛି ।


ସ୍ୱାସ୍ଥ୍ୟସେବା
ପୁରୀରେ ୪୬ଟି ମେଡିକାଲ ରିଲିଫ୍‌ କେନ୍ଦ୍ର କାର୍ଯ୍ୟକରୁଛି । ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ଗ୍ରାମପଞ୍ଚାୟତରେ ୨୦ ଜଣ ଡାକ୍ତର ଓ ୨୦୦ ଜଣ ସ୍ୱାସ୍ଥ୍ୟକର୍ମୀ ମୁତୟନ ଅଛନ୍ତି । ଜଳ ପ୍ରଦୂଷିତ ହୋଇଥିବା ଜଳଉତ୍ସ ଗୁଡ଼ିକର ଜଳ ବ୍ୟବହାର ନକରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର କୌଣସି ସ୍ଥାନରେ ମହାମାରୀ ବ୍ୟାପି ଥିବାର ଖବର ନାହିଁ । ସ୍ୱାସ୍ଥ୍ୟ ବିଭାଗ ସ୍ୱାସ୍ଥ୍ୟସେବା ଉପରେ ପ୍ରାଥମିକତା ଦେଇ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରଭାବିତ ଅଞ୍ଚଳରେ ସଜାଗ ରହିଛି । ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅତ୍ୟଧିକ ପ୍ରଭାବିତ ବ୍ଲକ୍‌ଗୁଡ଼ିକ ଉପରେ ବିଭାଗ ବିଶେଷ ଧ୍ୟାନ ରଖିଛି ।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ
ପୁରୀରେ ରାଜ୍ୟ ଯୋଗାଣ ନିଗମ ପକ୍ଷୁ ୬ଟି ଭ୍ରାମ୍ୟମାଣ ଦୋକାନ ଜରିଆରେ ସହରାଞ୍ଚଳର ଲୋକମାନଙ୍କୁ ଆଳୁ, ପିଆଜ, ମହମବତୀ, ଦିଆସିଲି ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି ।ଗ୍ରାମୀଣ ପାନୀୟ ଜଳଯୋଗାଣ ପୁରୀ ଜିଲ୍ଲାର କାକଟପୁର ବ୍ଲକ୍‌ ଅଞ୍ଚଳ ବ୍ୟତୀତ ପୁରୀ ଏବଂ ଅନ୍ୟ ୬ଟି ପ୍ରଭାବିତ ଜିଲ୍ଲାରେ ପାନୀୟ ଜଳଯୋଗାଣ ଶତପ୍ରତିଶତ ସ୍ୱାଭାବିକ ହୋଇପାରିଛି । ବର୍ତ୍ତମାନ ବିଶୁଦ୍ଧ ପାନୀୟ ଜଳଯୋଗାଣ ତଥା ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରାଯାଉଛି ।

ଟେଲି ଯୋଗାଯୋଗ
ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ନିରନ୍ତର ଉଦ୍ୟମ କ୍ରମେ ଟେଲିଯୋଗାଯୋଗ ଓ ମୋବାଇଲ୍‌ ସେବାରେ ପ୍ରତିଦିନ ଉନ୍ନତି ଘଟୁଛି । ଖୋର୍ଦ୍ଧା ଜିଲ୍ଲାରେ ୭୪ ପ୍ରତିଶତରୁ ବୃଦ୍ଧିପାଇ ୭୮ ପ୍ରତିଶତ ମୋବାଇଲ୍‌ ଟାୱାର କାର୍ଯ୍ୟକ୍ଷମ କରାଯାଇଥିବାବେଳେ ପୁରୀ ଜିଲ୍ଲାର ୫୨ ପ୍ରତିଶତ ଓ କଟକ ଜିଲ୍ଲାର ୮୮ ପ୍ରତିଶତ ମୋବାଇଲ୍‌ ଟାୱାର କାର୍ଯ୍ୟକ୍ଷମ ହୋଇଛି । ସେହିପରି ଭୁବନେଶ୍ୱର ସହରରେ ୮୨%, ପୁରୀ ସହରରେ ୪୫% ଓ କଟକ ସହରରେ ୮୯% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି । ପୁରୀ ସହରରେ ବର୍ତ୍ତମାନ ସୁଦ୍ଧା ମୋଟ ୧୮ଟି କାଓ କାର୍ଯ୍ୟ କରୁଛି । ଏୟାରଟେଲ୍‌ର ୧୦ଟି, ଏବଂ ଭୋଡ଼ାଫୋନର ୫ଟି କାଓ କାର୍ଯ୍ୟ କରୁଛି । ପୁରୀର ଉପଭୋକ୍ତାମାନେ ନିଜ ମୋବାଇଲରୁ ଇଣ୍ଟ୍ରା ସର୍କଲ ରୋମିଂ ମାଧ୍ୟମରେ ବର୍ତ୍ତମାନ ଯେକୈଣସି ମୋବାଇଲ ପ୍ରୋଭାଇଡରର ସେବା ନେଇପାରୁଛନ୍ତି । ଏହି ସେବା କେବଳ ପୁରୀ ଅଞ୍ଚଳରେ କାର୍ଯ୍ୟ କରୁଛି । ପୁରୀ ସହର ଏବଂ ପୁରୀର ସମସ୍ତ ବ୍ଲକ୍‌ ଅଞ୍ଚଳରେ ଡାଟା ସର୍ଭିସ୍‌ କାର୍ଯ୍ୟ କରୁଛି ।

ଖୋର୍ଦ୍ଧାର ୯୯ଟି ବିଏସ୍‌ଏନ୍‌ଏଲ୍‌ର ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୯୫ଟି କାର୍ଯ୍ୟକ୍ଷମ କରାଯାଇଛି । ପୁରୀର ୪୧ଟି ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ ଏକ୍ସଚେଞ୍ଜ ମଧ୍ୟରୁ ୩୨ଟି ଏବଂ କଟକର ସମସ୍ତ ୭୭ଟି ଏକ୍ସଚେଞ୍ଜ କାର୍ଯ୍ୟ କରୁଛି । ଅର୍ଥ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦୁ୍ୟତ ଓ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇଥିବାରୁ ଜିଏସ୍‌ଟି ଦାଖଲ ତାରିଖକୁ ଘୁଞ୍ଚାଇବା ପାଇଁ ଜିଏସ୍‌ଟି କାଉନ୍‌ସିଲ୍‌କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକୁ ଗ୍ରହଣ କରି ଜିଏସ୍‌ଟି କାଉନ୍‌ସିଲ୍‌ ପକ୍ଷରୁ ରିଟର୍ଣ୍ଣ ଦାଖଲ ତାରିଖକୁ କୋହଳ କରାଯାଇଛି । ଅପ୍ରେଲ ୨୦୧୯ ମାସର ନିଜ ରାଜ୍ୟରୁ ଅନ୍ୟତ୍ର ଦ୍ରବ୍ୟ ଓ ସେବା କର ବାବଦରେ ଜିଏସ୍‌ଟିଆର୍‌-୧ ଫର୍ମ ଚଳିତ ମାସ ମଇ-୧୧ ତାରିଖ ସୁଦ୍ଧା ଦାଖଲ କରିବାର ଥିଲା, ଯାହାକୁ ଜୁନ୍‌ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ସେହିପରି ଅପ୍ରେଲ ୨୦୧୯ର ଜିଏସ୍‌ଟିଆର୍‌-୩ବି ଫର୍ମ ଦାଖଲ ଚଳିତ ମଇ ମାସ ୨୦ ତାରିଖ ସୁଦ୍ଧା ଦାଖଲ କରିବାକୁ ଥିବାବେଳେ ତାହାକୁ ଜୁନ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।ବ୍ୟାଙ୍କିଂ ସେବା ଆଜି ଭାରତ ସରକାରଙ୍କ ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବାଶିଷ ପଣ୍ଡା ଓ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏ.କେ.କେ. ମୀନା ମିଳିତ ଭାବେ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାଙ୍କିଂ ସେବା ପୁନଃକାର୍ଯ୍ୟକ୍ଷମ ହେବା ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଖୁବ୍‌ କମ୍‌ ଦିନ ମଧ୍ୟରେ ବ୍ୟାଙ୍କିଂ ସେବା ତ୍ୱରାନ୍ୱିତ ହୋଇଥିବା ସଂପର୍କରେ ସୂଚନା ଦେଇଥିଲେ ।

ଅତିରିକ୍ତ ଶାସନ ସଚିବ ଶ୍ରୀ ପଣ୍ଡା ବ୍ୟାଙ୍କ ପୁନଃକାର୍ଯ୍ୟକ୍ଷମ ହେବା କ୍ଷେତ୍ରରେ ରାଜ୍ୟ ସରକାର ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହିତ ବ୍ୟାଙ୍କଗୁଡ଼ିକୁ ୨୦୧୮ ଅକେଫାବର ୧୭ ତାରିଖରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ରିଲିଫ୍‌ ସହାୟତା ପ୍ରଦାନ କରିବା, ସମସ୍ତ ଶାଖା ବ୍ୟାଙ୍କଗୁଡ଼ିକୁ ଦୁଇଦିନ ମଧ୍ୟରେ ଖୋଲିବା, ୪/୫ ଦିନ ମଧ୍ୟରେ ସମସ୍ତ ଏଟିଏମ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା, ବୀମା କମ୍ପାନୀମାନେ ସରଳୀକରଣ ପଦ୍ଧତି ଅବଲମ୍ବନ କରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉପଭୋକ୍ତାମାନଙ୍କର ଦାବି ଫଇସଲା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ଆଜି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଟାସ୍କଫୋର୍ସ କମିଟିର ଅନ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ଋଣ ସହାୟତା କ୍ଷେତ୍ରରେ କେତେକ ସର୍ତ୍ତାବଳୀ କୋହଳ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜି ସୁଦ୍ଧା ପୁରୀରେ ୮୧.୦୮ ପ୍ରତିଶତ, ଖୋର୍ଦ୍ଧାରେ ୯୭.୭୨ ପ୍ରତିଶତ, କଟକରେ ୯୮.୯୮ ପ୍ରତିଶତ, ଜଗତସିଂହପୁରରେ ୯୬.୩୪, ଗଞ୍ଜାମରେ ୯୯.୫୩ ଏବଂ କେନ୍ଦ୍ରାପଡ଼ାରେ ଶତ ପ୍ରତିଶତ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇଛି ।


ପୁରୀରେ ୩୦.୧୮%, ଖୋର୍ଦ୍ଧା ୬୬.୪୭%, କଟକରେ ୭୨.୧୩%, ଜଗତସିଂହପୁରରେ ୭୬.୭୨%, ଗଞ୍ଜାମରେ ୯୯.୦୪% ଏବଂ କେନ୍ଦ୍ରାପଡ଼ାରେ ୮୧.୨୯% ଏଟିଏମ୍‌ କାର୍ଯ୍ୟକ୍ଷମ ହୋଇଛି ।ଏମ୍‌ଏସ୍‌ଏମ୍‌ଇ ଏମ୍‌ଏସ୍‌ଏମ୍‌ଇ ଓ ଦକ୍ଷତା ବିକାଶ ସଂପର୍କିତ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସବ୍‌କମିଟି ବୈଠକ ଆଜି ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଦ୍ୱାରା ପ୍ରଭାବିତ ହୋଇଥିବା ଏମ୍‌ଏସ୍‌ଏମ୍‌ଇମାନଙ୍କୁ ଯଥୋଚିତ ସହାୟତା ପ୍ରଦାନ କରିବା ଦିଗରେ ବ୍ୟାଙ୍କରମାନେ ପଦକ୍ଷେପ ନେବାକୁ ଶ୍ରୀ ଗୁପ୍ତା କହିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କର ମାଷ୍ଟର ନିର୍ଦ୍ଦେଶ(ପ୍ରାକୃତିକ ଦୁର୍ବିପାକ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କମାନଙ୍କ ଦ୍ୱାରା ରିଲିଫ୍‌ ସହାୟତା-୨୦୧୮) ପ୍ରକାରେ ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇମାନେ ନେଇଥିବା ଋଣର ପୁନଃବିନ୍ୟାସ କରିବାକୁ ବ୍ୟାଙ୍କରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବ୍ୟାଙ୍କରମାନେ ଆଇନ ଅନୁଯାୟୀ ବାଧ୍ୟତାମୂଳକ ସର୍ବନିମ୍ନ ୯୦ ଦିନ ସମୟକୁ ଋଣ ବିନ୍ୟାସ କ୍ଷେତ୍ରରେ କୋହଳ କରିବା ସହିତ ସୁଧାହାର ହ୍ରାସ କରିବା ଉପରେ ବିଚାର କରିବାକୁ କୁହାଯାଇଥିଲା । ଏହା ଦ୍ୱାରା ଏମ୍‌ଏସ୍‌ଏମଇମାନଙ୍କ ନିକଟରେ ନଗଦ ଅର୍ଥ ପହଞ୍ଚିବାରେ କୌଣସି ସମସ୍ୟା ରହିବ ନାହିଁ । ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମରେ ବିଚାରାଧୀନ ଥିବା ଫନୀ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ଆସିଥିବା ୫୨୫୮ଟି ପ୍ରକଳ୍ପ ଦରଖାସ୍ତକୁ ମଞ୍ଜୁର କରିବା ପାଇଁ ତ୍ୱରିତ ନିଷ୍ପତ୍ତି ନେବାକୁ ବ୍ୟାଙ୍କରମାନଙ୍କୁ କୁହାଯାଇଥିଲା । କେଭିଆଇସିର ରାଜ୍ୟ ନିର୍ଦ୍ଦେଶକ ଜଣାଇଥିଲେ ଯେ ଚଳିତ ବର୍ଷ ମାର୍ଜିନ ମନି ଆସିଷ୍ଟାନ୍ସ ଟାର୍ଗେଟ୍‌ ଫଣ୍ଡରେ ୧୦୭ କୋଟି ଟଙ୍କା ଉପଲବ୍ଧ ଅଛି । ବାତ୍ୟା ଦ୍ୱାରା ପ୍ରଭାବିତ ଯେଉଁ ହିତାଧିକାରୀ ପ୍ରଥମ ଋଣ ପରିଶୋଧ କରିଛନ୍ତି ତାଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଦ୍ୱିତୀୟ ଋଣ ଏହି ଯୋଜନାରେ ପ୍ରଦାନ କରାଯିବ ।

ବାତ୍ୟା ପ୍ରଭାବିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜୀବିକାର ପୁନରୁଦ୍ଧାର ପାଇଁ ବ୍ୟାଙ୍କ ଶାଖାମାନେ ମୁଦ୍ରା, ପିଏମ୍‌ଇଜିପି ଓ ଷ୍ଟାଣ୍ଡ ଅପ୍‌ ଯୋଜନାରେ ଏମ୍‌ଏସ୍‌ଏମ୍‌ଇମାନଙ୍କୁ ନୂତନ ଋଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ଶିଳ୍ପ କେନ୍ଦ୍ର/ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନେ ବ୍ୟାଙ୍କରମାନଙ୍କୁ ନେଇ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଚଳିତ ମାସରେ ଆହୂତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫନୀ ପ୍ରଭାବିତ ଜିଲ୍ଲା ଓ ବ୍ଲକ୍‌ମାନଙ୍କରେ ବିଚାରାଧୀନ ଥିବା ଋଣ ଦରଖାସ୍ତଗୁଡ଼ିକୁ ମଧ୍ୟ ଯଥାଶୀଘ୍ର ଫଇସଲା କରିବାକୁ ସେମାନଙ୍କୁ କୁହାଯାଇଥିଲା । ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବାତ୍ୟାରେ ପ୍ରଭାବିତ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଏବଂ ଗଞ୍ଜାମ ଆଜି ୧୪ଟି ଜିଲ୍ଲାରେ ବିଦୁ୍ୟତ ଓ ଇଣ୍ଟରନେଟ୍‌ ସେବା ବ୍ୟାହତ ହେବା ଯୋଗୁଁ ଇପିଏଫ୍‌ ଏବଂ ଇଏସ୍‌ଆଇ ଉପଭୋକ୍ତାମାନେ ସେମାନଙ୍କର ଦେୟ ଏବଂ ରିଟର୍ଣ୍ଣ ଦାଖଲ ନିର୍ଦ୍ଧାରିତ ସମୟରେ
କରିବାରେ ସମସ୍ୟା ସୃଷ୍ଟି ହୋଇଛି ।


ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ପ୍ରଭାବିତ ଜିଲ୍ଲାମାନଙ୍କରେ ଏହିସବୁ ଦେୟ ଓ ରିଟର୍ଣ୍ଣ ପୈଠ କରିବା ସମୟକୁ ୨୦୧୯ ଜୁନ୍‌ ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁରୋଧକୁ ବିଚାର କରି ଇପିଏଫ୍‌ କର୍ତ୍ତୃପକ୍ଷ ୨୦୧୯ ଅପ୍ରେଲର ଇପିଏଫ୍‌ ଦେୟ ପୈଠ କରିବା ନିମନ୍ତେ ସମୟସୀମାକୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେହିପରି ଇଏସ୍‌ଆଇ କର୍ତ୍ତୃପକ୍ଷ ୨୦୧୯ ଅପ୍ରେଲର ଇଏସ୍‌ଆଇ ରିଟର୍ଣ୍ଣ ଦାଖଲ କରିବା ସମୟ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଦୁ୍ୟତ ସଂଯୋଗୀକରଣ ଗତକାଲି ସୁଦ୍ଧା କଟକ ସିଡିଡି-୧ ଡିଭିଜନରେ ଥିବା ସମସ୍ତ ୭୧ ହଜାର ୮୬୭ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ
ଦିଆଯାଇ ଶତପ୍ରତିଶତ ସଫଳତା ହାସଲ ହୋଇଥିବାବେଳେ ସିଡିଡି-୨ରେ ପ୍ରାୟ ୬୯ ହଜାର ୦୩୧ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୫୦ହଜାର ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ ଦିଆଯାଇଛି । କଟକ ସିଇଡି ଅନ୍ତର୍ଗତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୯୫ ହଜାର ୫୯୯ ଉପଭୋକ୍ତାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୮ ହଜାର ୦୬୪ ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ ଦିଆଯାଇଛି ।


ଭୁବନେଶ୍ୱରରେ ବିସିଡିଡି-୧ ଅନ୍ତର୍ଗତ ସମସ୍ତ ୫୮୭୪୨ ଉପଭୋକ୍ତାଙ୍କୁ ଆଜି ସୁଦ୍ଧା ବିଦୁ୍ୟତ ଯୋଗାଇ ଦିଆଯାଇଛି । ବିସିଡିଡି-୨ ଅନ୍ତର୍ଭୁକ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧ ଲକ୍ଷ ୪୭ ହଜାର ୫୩୧ ଉପଭୋକ୍ତାଙ୍କ ମଧ୍ୟରୁ ୧ ଲକ୍ଷ ୨୦ ହଜାର ୦୦୩ ଜଣ ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ ଯୋଗାଇ ଦିଆଯାଇଛି । ସେହିପରି ବିଇଡି ଅଞ୍ଚଳର ସହରାଞ୍ଚଳ
ଓ ଗ୍ରାମାଞ୍ଚଳ ମିଶି ୧ ଲକ୍ଷ ୯ ହଜାର ୯୮୪ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସୁଦ୍ଧା ୯୮ ହଜାର ୫୦୦ ଜଣଙ୍କୁ ବିଦୁ୍ୟତ ପୁନଃସଂଯୋଗ କରାଯାଇଛି । ଫଳରେ ବିଇଡିର ୯୦ ପ୍ରତିଶତ ଉପଭୋକ୍ତା ବିଦୁ୍ୟତ ସେବା ପାଇପାରିଛନ୍ତି ।


କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ଅଞ୍ଚଳରେ କାର୍ଯ୍ୟ କରୁଥିବା କେଇଡ଼ି-୧ ଓ ମାର୍ଶାଘାଇ ଅଞ୍ଚଳରେ କାର୍ଯ୍ୟକରୁଥିବା
କେଇଡ଼ି-୨ ଅନ୍ତର୍ଗତ ସମସ୍ତ ଫିଡ଼ର କାର୍ଯ୍ୟକ୍ଷମ ହୋଇଛି । ଏହି ଜିଲ୍ଲାରେ ଶତପ୍ରତିଶତ ବିଦୁ୍ୟତ ପୁନଃସଂସ୍ଥାପନ ହେବା ସହ ସମସ୍ତ ଉପଭୋକ୍ତାଙ୍କୁ ବିଦୁ୍ୟତସଂଯୋଗ ଯୋଗାଇ ଦିଆଯାଇଛି । ସେହିପରି ଜଗତତସିଂହପୁର ଅଞ୍ଚଳରେ ଥିବା ଜେଇଡ଼ି ଡିଭିଜନ୍‌ ଅନ୍ତର୍ଗତ ୪୩ଟି ଫଡ଼ର ମଧ୍ୟରୁ ୩୩ଟି କାର୍ଯ୍ୟକ୍ଷମ ହେବା ଫଳରେ ଏହି ଡିଭିଜନର ୧ ଲକ୍ଷ ୧୬ ହଜାର ୨୧୫ ଉପଭୋକ୍ତାଙ୍କ ମଧ୍ୟରୁ ୮୧ ହଜାର ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ ପୁନଃକ୍ଷମ ହୋଇଛି । ପାରାଦ୍ୱୀପ ଅଞ୍ଚଳରେ ଥିବା ପିଇଡି ଡିଭିଜନର ସମସ୍ତ ୨୪ଟି ଫିଡର କାର୍ଯ୍ୟକ୍ଷମ ହୋଇଛି । ଏହି ଡିଭିଜନ ଅନ୍ତର୍ଭୁକ୍ତ ୧ ଲକ୍ଷ ୧ ହଜାର ୨୨୮ ଜଣ ଉପଭୋକ୍ତାଙ୍କ ମଧ୍ୟରୁ ୭୭ ହଜାର ୯୦୦ ଜଣ ଉପଭେକ୍ତାଙ୍କୁ ବିଦୁ୍ୟତ ସଂଯୋଗ ଦିଆଯାଇପାରିଛି ।


ପୁରୀ ସହରରେ ଗତକାଲିଠାରୁ ବିଦୁ୍ୟତସେବା ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଛି । ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ
ଦେବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାରେ ୫୨୪ଟି ଦଳ ବିଦୁ୍ୟତ ଯୋଗାଣ କାର୍ଯ୍ୟକୁ ସ୍ୱାଭାବିକ କରିବା ନିମନ୍ତେ ନିୟୋଜିତ
ହୋଇଛନ୍ତି । ପ୍ରାଣୀସଂପଦ ପ୍ରାଣୀସଂପଦ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ଏଯାବତ୍‌ ୩୬୦୧ ଟି ପ୍ରାଣୀଚିକିତ୍ସା ଶିବିର ଆୟୋଜନ କରାଯାଇଛି ଓ ୨ ଲକ୍ଷ ୫୬ ହଜାର ୫୯୩ ପ୍ରାଣୀସଂପଦ ଚିକିତ୍ସିତ ହୋଇଛନ୍ତି । ୬ ଲକ୍ଷ ୯୨ ହଜାର ୮୯୩ଟି ପ୍ରାଣୀସଂପଦର ଟୀକାକରଣ କରାଯାଇଛି । ୩୫୬ ପ୍ରାଣୀଚିକିତ୍ସକ ଓ ୧୧୯୨ ଜଣ ପ୍ରାଣୀଚିକିତ୍ସା ସହାୟକ ବାତ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ ଅଛନ୍ତି ।


କଟକ, ପୁରୀ, ଜଗତସିଂହପୁର, ଯାଜପୁର, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ୨୦୩୨.୫ ମେଟି୍ରକ୍‌ ଟନ୍‌ ଗୋଖାଦ୍ୟ ଯୋଗାଇ ଦିଆଯାଇଛି । ପରିବେଶ ଦୂଷିତ ହୋଇ କୌଣସି ସଂକ୍ରାମକ ରୋଗ ଯେଭଳି ନ ବ୍ୟାପେ ତାକୁ ଦୃଷ୍ଟିରେ ରଖି ସମସ୍ତ ମୃତ ପଶୁପକ୍ଷୀଙ୍କ ମୃତଦେହକୁ ସଠିକ ଢଙ୍ଗରେ ନିପତନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.