ଗତିପଥ ପରିବର୍ତ୍ତନ କରୁଛି ଫୋନି: କାଲି ଅପରାହ୍ନରେ ହିଁ ଜଣାପଡିବ ନିର୍ଦ୍ଦିଷ୍ଟ କେଉଁଠି କରିବ ହିଟ୍, ଏବେ ଘଣ୍ଟାକୁ ୬କି.ମି ବେଗରେ ମାଡ଼ି ଆସୁଛି ଓଡିଶା ଆଡକୁ

Published By : Prameya-News7 Bureau | May 01, 2019 IST

ଭୁବନେଶ୍ବର ୧|୫: ଓଡ଼ିଶା ଆଡକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ ଫୋନି । ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହୋଇ ଏବେ ପୁରୀ-ଜଗତ୍‌ସିଂହପୁର ଉପକୂଳ ମୁହାଁ ହୋଇଛି । ଫୋନି ପୁରୀ ଉପକୂଳଠାରୁ ୬୫୦ କିଲୋମିଟର ଦୂରରେ ଥିବା ବେଳେ ବିଶାଖାପଟନମ୍ ଠାରୁ ୪୦୦ କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ସମୁଦ୍ର ପଥରେ ଉପକୂଳ ଆଡକୁ ଆସୁଛି । ୩ ତାରିଖ ଅପରାହ୍ନରେ ବାତ୍ୟା ଫୋନି ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି ।ତେବେ ଫନି ଗତିପଥ ବଦଳାଉଥିବାରୁ ନିର୍ଦିଷ୍ଟ କେଉଁସ୍ଥାନରେ ଲେଣ୍ଡଫଲ କରିବା ତାହା ଆସନ୍ତାକାଲି ଅପରାହ୍ନରେ ହିଁ ଜଣାପଡିବ ।


ବଙ୍ଗୋପସାଗରରେ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଫୋନି। ଓଡିଶା ଆଡ଼କୁ ମାଡ଼ି ଆସୁଛି ଫୋନି । ଭାରତୀୟ ପାଣିପାଗ ବିଭାଗ ସୂଚନା ମୁତାବକ, ଫୋନି ଆଜି ସକାଳେ ଉତ୍ତର-ପୂର୍ବ ଦିଗରେ ଗତିକରି ପୁରୀ ପାଖରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିଲୋମିଟର ଦୂରରେ କେନ୍ଦ୍ରିଭୁତ ହୋଇଛି । ୩ ତାରିଖ ଅପରାହ୍ନ ସୁଦ୍ଧା ଏହା ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ପୁରୀ ଉପକୂଳ ଦେଇ ଅତିକ୍ରମ କରିପାରେ । ସେହିଭଳି ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଜେଟିଡବ୍ଲୁସିର ପୂର୍ବାନୁମାନ ଅନୁସାରେ ଫାନିର ଗତି କିଛି ଏମିତି ରହିବ। ଯଦି ଏହିଭଳି ଏହା ଗତି କରେ ତେବେ ତେବେ ଠିକ୍ ପୁରୀ ଏବଂ ଜଗତ୍ସିଂହପୁର ସୀମାବର୍ତ୍ତୀ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ କରିପାରେ। ପୂର୍ବରୁ ଏହା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଉଦୟଗିରିରେ କିମ୍ବା ପୁରୀ ବାଲୁଘାଟ ଅଂଚଳରେ ଲ୍ୟାଣ୍ଡଫଲ କରିବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଥିଲା । ଫନି ଲ୍ୟାଣ୍ଡ ଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ମଧ୍ୟରେ ରହିବ ।


ଫୋନି ପ୍ରଭାବରେ ଉପକୂଳ ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଳାରେ ପ୍ରବଳ ବର୍ଷା ହେବ । ତେବେ ବର୍ଷାର ପରିମାଣକୁ ଆକଳନ କରାଯାଇ ବିଭିନ୍ନ ଜିଲ୍ଲାରେ ଅରେଞ୍ଜ, ରେଡ୍ ଓ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୨ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ କୁଆପଥର ବର୍ଷାର ଆଶଙ୍କା ରହିଛି । ୩ ତାରିଖରେ ଗଜପତି ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରୁଭଞ୍ଜରେ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହି ୩ ତାରିଖରେ ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣିଂ ଜାରି କରାଯାଇଛି । ଏଠାରେ ପାଗ ମେଘୁଆ ରହିବା ସହ କାଁ ଭାଁ ବର୍ଷା ହୋଇପାରେ । ୪ ତାରିଖରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, କେନ୍ଦୁଝର ଓ ମୟୁରଭଞ୍ଜରେ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ୍ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖରେ କଟକ, ଢ଼େଙ୍କାନାଳ ଓ ଅନୁଗୁଳରେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।


ଫୋନି ତାର ଗତିପଥ ପରିବର୍ତ୍ତନ କରୁଥିବାରୁ କେଉଁ ସ୍ଥାନରେ ସଠିକ ଭାବେ ଲ୍ୟାଣ୍ଡ ଫଲ୍ କରିବ ସେନେଇ କାଲି ଅପରାହ୍ନ ସୁଦ୍ଧା ଜଣାପଡିବ ବୋଲି ପାଣିପାଗ ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.