ପୁରୀଠାରୁ ୨୪୦ କିଲୋମିଟର ଦୂରରେ ଫନୀ: ଉପକୂଳକୁ ଘଣ୍ଟାକୁ ୧୫ କିମି ବେଗରେ ମାଡି ଆସୁଛି, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରହିବ ପବନର ଗତି

Published By : Prameya-News7 Bureau | May 02, 2019 IST

ଭୁବନେଶ୍ବର ୨।୫ : ପୁରୀ ଠାରୁ ୨୪୦ କିଲୋମିଟର ଦୂରରେ ଫନୀ । ଘଣ୍ଟାକୁ ୧୫ କିଲୋମିଟର ବେଗରେ ପୁରୀ ଆଡକୁ ମାଡି ଆସୁଛି । ଆସନ୍ତା କାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀରେ ଫନୀ ଲ୍ୟାଣ୍ଡଫଲ କରିବ । ତେବେ ସକାଳ ସାଢେ ୯ଟାରୁ ହିଁ ଲ୍ୟାଣ୍ଡଫଲ ଆରମ୍ଭ ହେବ ବୋଲି ପାଣି ପାଗ ବିଭାଗ ସୂତ୍ରରୁ ଜଣାପଡିଛି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୨ଶହ କଲୋମିଟର ରହିବ।

ଫନୀ ବାତ୍ୟା ଯୋଗୁ ପ୍ରଭାବିତ ହେଉଥିବା ୧୭ ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ବିଶେଷ କ୍ଷତିଗ୍ରସ୍ତ ହେବ। ଲ୍ୟାଣ୍ଡଫଲ ବେଳେ ଏହି ସବୁ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୪୦ରୁ ୧୬୦ କିଲୋମିଟର ହେବ। ସେହିଭଳି କଟକ ଓ ଭୁବନେଶ୍ବରରେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୧୫ କିଲୋମିଟର ରହିବ ବୋଲି ଆକଳନ କରାଯାଉଛି ।

ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ରହିବ। ନୟାଗଡ, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ ଓ କେନ୍ଦୁଝରରେ ବାତ୍ୟାର ପ୍ରଭାବ ରହିବ। ଲ୍ୟାଣ୍ଡଫଲ ବେଳେ ଏହି ସବୁ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ରହିବ। ଏହି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ୟ ହେବ ବୋଲି  ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

 ଆଜି ମଧ୍ୟ  ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସର୍ବାଧିକ ବର୍ଷା ପୁରୀ ଜିଲ୍ଲାରେ ରେକର୍ଡ ହୋଇଛି। ବାତ୍ୟା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ବାତ୍ୟାର ପ୍ରଭାବ ଆସନ୍ତା କାଲି ସକାଳୁ ଅପରାହ୍ଣ ପର୍ଯ୍ୟନ୍ତ ଅନୁଭୂତ ହେବ । ବାତ୍ୟା ସମୟରେ କେହି ପଦାକୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.