Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫଣା ମେଲି ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ଫୋନି: ଅଶାନ୍ତ ହେଲାଣି ମହୋଦଧୀ, ବଡ଼ ବଡ଼ ଜୁଆର ସାଙ୍ଗକୁ ଘୁ ଘୁ ଗର୍ଜନ ଥରାଉଛି ଛାତି

2/05/2019 at 6:22 PM

ପୁରୀ ୨|୫; ପୁରୀ ମୁହାଁ ହେଉଛି ଫୋନି । ସାମୁଦ୍ରିକ ଝଡ଼ ବାତ୍ୟା ଫୋନି ପ୍ରଭାବରେ ଗଲାକାଲି ସଂଧ୍ୟାରୁ ପୁରୀରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି   । ଧୀରେ ଧୀରେ ବଢ଼ୁଛି ପବନର ବେଗ । ଅଶାନ୍ତ ହୋଇପଡ଼ିଲାଣି ସମୁଦ୍ର । ପ୍ରଶାସନର ସତର୍କ ସୂଚନା ପରେ ପୁରୀ ଛାଡ଼ିଛନ୍ତି ଅନେକ ପର୍ଯ୍ୟଟକ । ଏସବୁ ଭିତରେ ଆଜି ସକାଳୁ ଶ୍ରୀମନ୍ଦିର ନୀଳଚକ୍ରରୁ ପବନରେ ପତିତପାବନ ବାନା ଉଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଠାକୁରଙ୍କ ପୂଜାବିଦ୍ଧି ପାଇଁ ପୁଣି ଥରେ ବାନା ବନ୍ଧା ଯାଇଛି । …..

ପୁରୀକୁ ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ଫୋନି । ହେଲେ ଗଲାକାଲି ସଂଧ୍ୟାରୁ ଆରମ୍ଭ ହୋଇଯାଇଛି ତୁହାକୁ ତୁହା ବର୍ଷା । ଧୀରେ ଧୀରେ ବଢ଼ୁଛି ପବନର ବେଗ । ବେଳକୁ ବେଳ ଅଶାନ୍ତ ହେଉଛି ମହୋଦଧୀ । ବଡ଼ ବଡ଼ ଜୁଆର ସାଙ୍ଗକୁ ଘୁ ଘୁ ଗର୍ଜନ ସାଧାରଣରେ ଆଶଙ୍କାକୁ ଅଧିକ ବଳ ଦେଉଛି । ଏସବୁ ଭିତରେ ପୁଣି ସକାଳୁ ଶ୍ରୀମନ୍ଦିର ନୀଳଚକ୍ରରୁ ପତିତପାବନ ବାନା ଉଡ଼ିଯିବା ଅନେକଙ୍କ ମନକୁ ଆନ୍ଦୋଳିତ କରିଛି ।

ଘଟଣାକୁ ନେଇ କିଛି ଲୋକ ବଡ଼ ଅଘଟଣକୁ ଆଶା କରୁଥିବା ବେଳେ ଆଉ କିଛି ଜଗନ୍ନାଥଙ୍କ ଉପରେ ଭରସା କରିଛନ୍ତି । ପବନର ବେଗ ଅଧିକ ରହିବ ବୋଲି ସତର୍କତା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଲାକାଲି ନୀଳଚକ୍ରର ସୁରକ୍ଷା ପାଇଁ  ୫ହାତ ବିଶିଷ୍ଟ ବାନା ବନ୍ଧା ପାଇଁ ନିଷ୍ପତ୍ତି ହୋଇଥିଲା । ସକାଳୁ ସେମିତି ଜୋର୍‌ରେ ପବନ ବି ନଥିଲା । ତଥାପି କାହିଁକି ନୀଳଚକ୍ରରୁ ବାନା ଉଡ଼ିଗଲା ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।

ସେପଟେ ପୁରୀ ଆଖପାଖ ଅଂଚଳରେ ବାତ୍ୟା ଫୋନି ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଥିବାରୁ ଖାଁ ଖାଁ ହୋଇପଡ଼ିଛି ସମୁଦ୍ରକୂଳ । ଆଖପାଖ ହୋଟେଲଗୁଡ଼ିକ ଖାଲି ହୋଇଯାଇଛି । ପ୍ରଶାସନର କଟକଣା ପରେ ପର୍ଯ୍ୟଟକମାନଙ୍କୁ ସ୍ବତନ୍ତ ବସ ଓ ଟ୍ରେନ୍‌ରେ ଫେରିଯିବାକୁ ବ୍ୟବସ୍ଥା କରାଯାଇଥିଲା । ସେମାନେ ମଧ୍ୟ ନିଜ ନିଜ ଘରକୁ ଫେରିଛନ୍ତି ।

ସମସ୍ତଙ୍କ ମନକୁ କିନ୍ତୁ  ଘାରିଛି ଗୋଟେ ଅଜଣା ଭୟ । ଫୋନି କାଳେ ତାଣ୍ଡବ ରଚିବ । ପବନର ବେଗ ୨୦୦ କିଲୋମିଟର ଛୁଇଁବ । ସେ ନେଇ ପୁରୀ ବାସୀଙ୍କ ଭିତରେ ଚିନ୍ତା ବି ବଢ଼ିଛି ।

ଆସନ୍ତା କାଲି ସକାଳୁ କୌଣସି ସମୟରେ ବି ପୁରୀ ଉପକୂଳରେ କେଉଁଠି ବି ସ୍ଥଳଭାଗ ଛୁଇଁପାରେ ସାମୁଦ୍ରିକ ଝଡ଼ ଫୋନି । ଯାହାକୁ ନେଇ ଉପକୂଳବର୍ତ୍ତୀ ଅଂଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଠାଇ ନେବାରେ ଲାଗିଛି ପ୍ରଶାସନ ।

ଯେମିତି କୌଣସି ବି ଜୀବନ ବିପଦରେ ନପଡ଼େ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ତଥାପି ଯେହେତୁ ଶ୍ରୀକ୍ଷେତ୍ରରେ ସ୍ବୟଂ ଜଗନ୍ନାଥ ବିରାଜମାନ, ତେଣୁ ବାତ୍ୟା ଫୋନି ଦ୍ବାରା ବିଶେଷ ପ୍ରଭାବ ପଡ଼ିବନି ବୋଲି ଭରସା ମଧ୍ୟ ରହିଛି ।

   Related Posts