iPhone ମାଗିବାକୁ ୨୦ଥର ଟ୍ବିଟ୍ କଲେ ଯୁବକ : ମଜାଳିଆ ଢ଼ଙ୍ଗରେ ଜବାବ ଦେଲେ ସୋନୁ ସୁଦ
3/09/2020 at 12:21 PM

ମୁମ୍ବାଇ ୩/୯: ଅଭିନେତା ସୋନୁ ସୁଦ କରୋନା କାଳରେ ସମସ୍ତଙ୍କୁ ଅନେକ ସାହାଯ୍ୟ କରିଛନ୍ତି। ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କଠୁ ନେଇ ଛାତ୍ର ଯାଏଁ,ସମସ୍ତଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। କିନ୍ତୁ ତାଙ୍କ ସାହାଯ୍ୟ ଦେଖି ଅନେକ ଲୋକ ତାଙ୍କ ସହ ମସ୍ତି କରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି। କେହି ତାଙ୍କଠୁ କେବେ ପ୍ଲେ ଷ୍ଟେସନ ମାଗିଛନ୍ତି ତ କେହି ଗାଡ଼ି। ଏବେ ଜଣେ ଫ୍ୟାନ୍ ସୋନୁ ସୁଦଙ୍କୁ iPhone ମାଗି ଦେଇଛନ୍ତି।
ସୋସିଆଲ ମିଡିଆରେ ଜଣେ ଫ୍ୟାନ୍ ଲେଖିଛନ୍ତି ଯେ- ମୋତେ ଏକ iPhone ଦରକାର। ମୁଁ ଆପଣଙ୍କୁ ଏହା ପୂର୍ବରୁ ମଧ୍ୟ ୨୦ଥର ଟ୍ବିଟ୍ କରି ସାରିଛି। ଏବେ ଫ୍ୟାନଙ୍କ ଏହି ଦାବିକୁ ତ ସୋନୁ ସୁଦ ପୂରା କରି ନାହାନ୍ତି କିନ୍ତୁ ଏକ ମଜାଳିଆ ଜବାବ ଦେଇଛନ୍ତି। ସୋନୁ କହିଛନ୍ତି ଯେ ତାଙ୍କୁ ବି ଏକ ଫୋନ୍ ଦରକାର। ସେ ବି ଅନେକ ଦିନରୁ ଅପେକ୍ଷା କରିଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି- ମୋତେ ବି ତ ଏକ ଫୋନ୍ ଦରକାର। ମୁଁ ବି ତ ଏଥିପାଇଁ ୨୧ଥର ଟ୍ବିଟ୍ କରିପାରିବି। ଏହା ପରେ ସୋନୁ ଏହି ଟ୍ବିଟ୍ ସହ ହସ ଇମୋଜୀ ବ୍ୟବହାର କରିଛନ୍ତି।
ସୋନୁ ସୁଦ ଏହା ପୂର୍ବରୁ ମଧ୍ୟ ଅନେକ ଫ୍ୟାନଙ୍କୁ ଏପରି ମଜାଳିଆ ଜବାବ ଦେଇଛନ୍ତି। କିଛି ସମୟ ତଳେ ଜଣେ ୟୁଜର ସୋନୁଙ୍କୁ ପ୍ଲେ ଷ୍ଟେସନ ମାଗିଥିଲେ। ସେତେବେଳେ ସୋନୁ ସୁଦ କହିଥିଲେ ଯେ ତୁମେ ଭାଗ୍ୟବାନ୍ ଯେ ତୁମ ପାଖରେ ପ୍ଲେ ଷ୍ଟେସନ ନାହିଁ। ମୁଁ ତୁମକୁ ବହି ଦେଇ ପାରିବି। ଆଉ ଜଣେ ୟୁଜର ସୋନୁଙ୍କୁ ଗୁଜୁରାଟ ଯିବା ପାଇଁ ଗାଡ଼ି ମାଗିଥିଲେ। ସେତେବେଳେ ସୋନୁ କହିଥିଲେ ଯେ ଆପଣଙ୍କୁ ଗାଡ଼ିରେ ଏସି ଦରକାର କି ନା,ଏବଂ ଆପଣ କେତେ ଟେମ୍ପରେଚର ପସନ୍ଦ କରିବେ। ସୋନୁଙ୍କ ଏହି ଟ୍ବିଟ୍ ସମସ୍ତଙ୍କୁ ହସିବାକୁ ବାଧ୍ୟ କରି ଦେଇଥିଲା।