ଆରପାରିରେ ପ୍ରଖ୍ୟାତ ସିନେମା ନିର୍ଦ୍ଦେଶିକା କଳ୍ପନା ଲାଜମୀ: ଜାଣନ୍ତୁ କାହିଁକି ଥିଲେ ସେ ଚର୍ଚ୍ଚିତ
24/09/2018 at 4:40 PM

ମୁମ୍ବାଇ ୨୪/୯: ପ୍ରଖ୍ୟାତ ସିନେମା ନିର୍ଦ୍ଦେଶିକା କଳ୍ପନା ଲାଜମୀଙ୍କ ମୁମ୍ବାଇସ୍ଥିତ କୋକିଳାବେନ୍ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଗତକାଲି ପରଲୋକ ହୋଇଯାଇଛି। ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା। ସେ ବୃକକଜନିତ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଗତକାଲି ତାଙ୍କ ଅନ୍ତିମ ଦର୍ଶନ ନିମନ୍ତେ ଶବାନା ଆଜମୀ,ଶ୍ୟାମ ବେନେଗଲ୍ ଏବଂ ସୋନି ରାଜଦାନ ଭଳି ନାମୀଦାମୀ କଳାକାରମାନେ ପହଞ୍ଚିଥିଲେ।
କଳ୍ପନା ଲାଜମୀ ଏକାଧାରରେ ଜଣେ ନିର୍ଦ୍ଦେଶିକା, ନିର୍ମାତା ଏବଂ ପଟ୍ଟକଥା ଲେଖକ ଥିଲେ। ସେ ବାସ୍ତବବାଦୀ ତଥା କଳାତ୍ମକ ଫିଲ୍ମ ନିର୍ମାଣ କରି ବେଶ ଚର୍ଚ୍ଚିତ ହୋଇଥିଲେ। ସେ ମୁଖ୍ୟତଃ ମହିଳା କୈନ୍ଦ୍ରିକ ଫିଲ୍ମ ନିର୍ମାଣ କରୁଥିଲେ। ତେବେ ତାଙ୍କ ଫିଲ୍ମର କଥାବସ୍ତୁ ଚିରାଚରିତ ଧାରାଠାରୁ ଅଲଗା । ତାଙ୍କର କେତେକ ଲୋକପ୍ରିୟ ଫିଲ୍ମ ହେଲା ରୁଦାଲି,ଦମନ ଏବଂ ଦରମିୟାନ। ସେ ନିର୍ଦ୍ଦେଶିକା ଭାବରେ ଶେଷ ଫିଲ୍ମ ଚିଙ୍ଗାରିରେ କାମ କରିଥିଲେ। ତାଙ୍କର ଏହି ଫିଲ୍ମ ଭୂପେନ ହଜାରିକାଙ୍କ ଉପନ୍ୟାସ ‘ଦ ପ୍ରଷ୍ଟିଚ୍ୟୁଟ୍ ଆଣ୍ଡ ଦ ପୋଷ୍ଟମ୍ୟାନ୍’ ଉପରେ ଆଧାରିତ ଥିଲା। କଳ୍ପନା ଲାଜମୀ ଶ୍ୟାମ ବେନେଗଲଙ୍କ ସହିତ ସହ-ନିର୍ଦ୍ଦେଶିକା ଭାବରେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ତୃତୀୟଲିଂଗି ମାନଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଦରମିୟାଁ ପାଇଁ ୯୦ ଦଶକର ଶେଷ ଭାଗରେ ବେଶ ଚର୍ଚ୍ଚିତ ହୋଇଥିଲେ । ଏହି ଫିଲ୍ମ ପାଇଁ ସେ ସମାଲୋଚିତ ମଧ୍ୟ ହୋଇଥିଲେ ।
ଜଣେ ନିର୍ଦ୍ଦେଶିକା ହିସାବରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଏକ ପଲ’। ଏହି ଫିଲ୍ମ ୧୯୮୬ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଶବାନା ଆଜମୀ ଏବଂ ନାସିରୁଦ୍ଦିନ ଶାହା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ନିର୍ମାତା ମଧ୍ୟ ସେ ନିଜେ ଥିଲେ ଏବଂ ଗୁଲଜାରଙ୍କ ସହ ମିଶି ସଂଳାପ ମଧ୍ୟ ଲେଖିଥିଲେ।
କଳ୍ପନାଙ୍କ ମୃତ୍ୟୁରେ ବଲିଉଡରେ ଶୋକ ଖେଳିଯାଇଛି। କିଛି କଳାକାର ଗତକାଲି ଦିନ ସାରା ସୋଶିଆଲ ମିଡିଆରେ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସୋନି ରାଜଦାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
କଳ୍ପନା ଲାଜମୀ ପ୍ରଖ୍ୟାତ ଚିତ୍ରକାର ଲଳିତା ଆଜମୀଙ୍କ ଝିଅ ଏବଂ ଅଭିନେତା ଗୁରୁ ଦତ୍ତଙ୍କ ଭାଣିଜୀ । ଭିନ୍ନ ଧରଣର ଫିଲ୍ମ ନିର୍ମାଣ କରିବାରେ ସେ ସିଦ୍ଧହସ୍ତା।