ଟଙ୍କା ପାଇଁ ମେଡିକାଲରେ ବନ୍ଧାପଡିଥିଲା ମୃତଦେହ, ନବରଙ୍ଗପୁର ସାଂସଦଙ୍କ ସହାୟତାରେ ପରିବାରଲୋକଙ୍କୁ ହସ୍ତାନ୍ତର

Published By : Prameya-News7 Bureau | October 03, 2020 IST

ନବରଙ୍ଗପୁର ୩।୧୦: ଦୁଇ ଲକ୍ଷ ଟଙ୍କା ପାଇଁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ବନ୍ଧା ପଡ଼ିଥିଲା ଦଳିତ ଯୁବକଙ୍କ ମୃତଦେହ । ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ସହାୟତା ପରେ ଶନିବାର ପରିବାର ଲୋକଙ୍କୁ ମେଡ଼ିକାଲ କର୍ତ୍ତୃପକ୍ଷ ମୃତଦେହ ହସ୍ତାନ୍ତର କରିଛନ୍ତି । ଘଟଣାଟି ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ସଦର ମହକୁମା ସ୍ଥିତ ତାଲିଆମ୍ବା ଅଞ୍ଚଳର ।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ମୃତକ ରବି ହରଜନ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ସନ୍ଧ୍ୟା ଭ୍ରମଣ ସାରି ଫେରୁଥିଲେ ।  ଝରିଗାଁ ନିକଟସ୍ଥ ଧଙ୍ଗଡାମାଲ ଛକରେ ପଛପଟୁ ଏକ ଅଜଣା ବାଇକ୍ ଚାଳକ ଆସି ରବିକୁ ଧକ୍କା ଦେଇଥିଲା  । ଫଳରେ ରବିର ବାମ ଗୋଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା  । ଆମ୍ବୁଲାନ୍ସ ସାହାଯ୍ୟରେ ରବିକୁ ପ୍ରଥମେ ଝରିଗାଁ ମେଡିକାଲ ପରେ ନବରଙ୍ଗପୁର ଏବଂ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅବସ୍ଥା ଜଟିଳ ହେବାରୁ ଡାକ୍ତର ବିଶାଖାପାଟଣା ନେବାକୁ ପରାମର୍ଶ ଦେଇ ପଠାଇ ଦେଇଥିଲେ । ଚିକିତ୍ସା ପାଇଁ  ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଇଥିବା ବେଳେ ୨୭ ତାରିଖ ଦିନ ପୁଣି ହାତ ଉଧାରି କରି ବାପା-ମା’ ପୁଅକୁ ନେଇ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଅସ୍ତ୍ରୋପଚାର ଜରୁରୀ କହି ୧ ଲକ୍ଷ ଖର୍ଚ୍ଚ ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଜଣାଇଥିଲେ । ଶେଷରେ ବାପା ରଘୁ ୫୦ ହଜାର ଟଙ୍କା ଜମା କରି ଚିକିତ୍ସା ଆରମ୍ଭ କରିଥିଲେ । ଆହୁରି ଦୁଇ ଲକ୍ଷ ଟଙ୍କାର ଆବଶ୍ୟକ ଥିବା ଜାଣି ରଘୁ ଝରିଗାଁ ଆସି ଟଙ୍କା ଯୋଗାଡରେ ଲାଗି ପଡିଲେ । ଗତକାଲି ରବିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ରବିର ମୃତଦେହ ପରିବାରକୁ ହସ୍ତାନ୍ତର କରିବାକୁ ମେଡିକାଲ କର୍ତ୍ତୃପକ୍ଷ ବଳକା ଦୁଇ ଲକ୍ଷ ଦାବି କରିଥିଲେ ।  ଏକମାତ୍ର ପୁଅକୁ ହରାଇ ବାପା, ମା’ ଦୁଃଖରେ ଭାଙ୍ଗି ପଡିଥିବାବେଳେ ଅର୍ଥ ଯୋଗାଡରେ ଅସମର୍ଥ ଦମ୍ପତ୍ତିଙ୍କୁ ଦୁଇ ଲକ୍ଷ ଟଙ୍କା ପୈଠ ନକଲେ  ପୁଅର ଶବକୁ ହସ୍ତାନ୍ତର କରିବାକୁ ମେଡିକାଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ । ଅନ୍ୟପକ୍ଷେ କୁଲି କାମ କରି ପରିବାର ପ୍ରତିପୋଷଣ କରୁଥିବା ରଘୁ ହରିଜନ ଦୁଇ ଲକ୍ଷ ଟଙ୍କା ଯୋଗାଡ କରିବାରେ ଅସମର୍ଥ ହୋଇ ପଡିଥିବାବେଳେ ପୁଅର ଶବକୁ ଫେରି ପାଇବା ପାଇଁ ସମସ୍ତଙ୍କୁ ନେହୁରା ହୋଇଥିଲେ । ଝରିଗାଁର ନବରଙ୍ଗପୁର ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସଙ୍କୁ ଅନୁରୋଧ କରିଥିଲେ ।

ପ୍ରିୟରଞ୍ଜନ ଝରିଗାଁ ବିଧାୟକ ପ୍ରକାଶ ମାଝୀ ଓ ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ ଯୋଗାଯୋଗ କରିଥିଲେ । ପରେ ସାଂସଦ ରମେଶ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବିଶାଖାପାଟଣା  ମେଡିକାଲ କର୍ତ୍ତୃପକ୍ଷଙ୍କୁ ଟଙ୍କା ଜମା କରିବା ପରେ ରବିଙ୍କ ମୃତଦେହକୁ ହସ୍ତାନ୍ତର କରିଥିଲେ । ଏନେଇ ଅତିରିକ୍ତ ମୁଖ୍ୟ ସ୍ବାସ୍ଥ୍ୟ ସଚିବ ନବରଙ୍ଗପୁର  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାପାଳ ବିଶାଖାପାଟଣା ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ଏକ ପୋଲିସ ଟିମକୁ ବିଶାଖାପାଟଣା ପଠାଇଛନ୍ତି । ବର୍ତ୍ତମାନ ରବିର ଶବ ବ୍ୟବଚ୍ଛେଦ ସରିଥିବା ଖବର ମିଳିଛି । ଆଜି ମୃତଦେହ ଧରି ପରିବାର ଲୋକ ନିଜ ଘର ଝରିଗାଁ ଫେରିବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.