ଲୋଭରେ ବଦଳିଯାଏ ସମ୍ପର୍କ : ଜମି ପାଇଁ ମା ଓ ଦୁଇ ଭଉଣୀଙ୍କୁ ବାନ୍ଧି ମାଡ ମାରିଲେ ଦୁଇ ଭାଇ

Published By : Prameya-News7 Bureau | January 09, 2020 IST

ପାରାଦୀପ ୦୯।୦୧: ଜମିବାଡି ଲୋଭ ଆଗରେ ତୁଚ୍ଛ ହେଲା ପାରିବାରିକ ସ୍ନେହ , ସମ୍ମାନ ।  ପୁଅ ଭୁଲିଗଲା ମାଆ ଓ ଭଉଣୀଙ୍କ ସମ୍ପର୍କ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଘଟିଛି ଏପରି ଏକ ଘଟଣା । ଜମିବାଡି ବିବାଦକୁ କେନ୍ଦ୍ର କରି ମା ଓ ଭଉଣୀକୁ ନଡ଼ିଆ ଗଛରେ ବାନ୍ଧି ମାଡ଼ ମାରିଲେ ଦୁଇ ଭାଇ। କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ହସିଣା ଗାଁରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ହସିଣା ( ଖ ) ଗାଁର ଦୁଇ ଭାଇ ବିଜୟ ତରାଇ ଓ ଗଜେନ୍ଦ୍ର ତରାଇ ସେମାନଙ୍କ  ଭଉଣୀଙ୍କ ନାମରେ ଥିବା ସ୍ଥିତିବାନ ଜମି ଉପରେ ବଳ ପୂର୍ବକ ପାଇଖାନା  ନିର୍ମାଣ କରୁଥିଲେ । ତେବେ ଏହାକୁ  ଦୁଇ ଭଉଣୀ ଅନିମା ତରାଇ , ପୁଷ୍ପଲତା ତରାଇ ଓ ମା ହାରାମଣୀ ତରାଇ ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ କନ୍ଦଳ ସୄଷ୍ଟି ହେବା ପରେ ଦୁଇ ଭାଇ ସେମାନଙ୍କ ଦୁଇ ଭଉଣୀଙ୍କୁ ନଡ଼ିଆ ଗଛ ରେ ବାନ୍ଧି ଥିବା ବେଳେ ମାଙ୍କ ଘର ବାଉଁଶ ଖୁଣ୍ଟିରେ ବାନ୍ଧି ମାଡ଼ ମାରିଥିଲେ । ତେବେ କୌଣସି ସୂତ୍ରରୁ କୁଜଙ୍ଗ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଭଉଣୀ ଓ ମା କୁ ଉଦ୍ଧାର କରିବା ସହ ଦୁଇ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣା ଦିନ ଠାରୁ ମା ଓ ଦୁଇ ଭଉଣୀ ଘରେ ନଥିବା ବେଳେ ବିଜୟ ଓ ଗଜେନ୍ଦ୍ର ଙ୍କ ସ୍ତ୍ରୀ ଓଲଟା ଦୁଇ ଭଉଣୀ ଙ୍କୁ ଦୋଷ ଦେଇଛନ୍ତି। ସେମାନେ କହିବା କଥା ଦୁଇ ଭଉଣୀ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଓଲଟା ଦୁଇ ଭାଇଙ୍କ ଉପରେ କୋଦାଳ ଉଠାଇ ଆକ୍ରମଣ କରିଥିଲା। ଯାହାକୁ ନେଇ ସେମାନେ ତାକୁ ଗଛରେ ବାନ୍ଧିଥିଲେ ବୋଲି ପ୍ରକାଶ କରିଥିବା ବେଳେ ଦୁଇ ଭଉଣୀ ଓ ମା ଘରେ ଉପସ୍ଥିତ ନଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.