ରାତିରେ ଶୋଇଥିଲେ ପରିବାର, ହାତୀପଲ ଭାଙ୍ଗିଦେଲେ ଘର: କାନ୍ଥ ପଡ଼ି ଶିଶୁ ମୃତ

Published By : Prameya-News7 Bureau | November 13, 2021 IST

ତେଲକୋଇ ୧୩/୧୧: ହାତୀ ଘର କାନ୍ଥ ଭାଙ୍ଗୁ ଥିବା ବେଳେ କାନ୍ଥ ପଡ଼ି ଜଣେ ସାତ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ହେଲା ବିନୋଦ ମହାନ୍ତଙ୍କ ୭ ବର୍ଷର ପୁତ୍ର ନାରାୟଣ ମହାନ୍ତ । ଏହି ଦୁଃଖଦ ଘଟଣା କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନର ରାଇସୁଆଁ ପଞ୍ଚାୟତ ଝାଟିକି ପଶି ଗ୍ରାମରେ ଘଟିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ବିନୋଦଙ୍କ ପରିବାର ଗତକାଲି ରାତ୍ର ଭୋଜନ ସାରି ଘରେ ଶୋଇଥିଲେ ।

ବିଳମ୍ବିତ ରାତ୍ରୀରେ ୯ ଟିକିଆ ହାତୀପଲ ଆସି ବିନୋଦଙ୍କ ପରିବାର ଶୋଇ ଥିବା ଘର କାନ୍ଥକୁ ଭାଙ୍ଗି ଥିଲେ । ଭଙ୍ଗା କାନ୍ଥର ଭଗ୍ନାବ ଶେଷ ଘର ଭିତରେ ପଡ଼ିଥିଲା । ଫଳରେ ଘର ଭିତରେ ଶୋଇଥିବା ପରିବାର ଉପରେ କାନ୍ଥ ମାଡ଼ି ବସିଥିଲା । ଏଥିରେ ବିନୋଦଙ୍କ ସାତ ବର୍ଷ ର ଶିଶୁ ପୁତ୍ର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପରିବାର ଲୋକ ଉଦ୍ଧାର କରି ସଙ୍ଗେ ସଙ୍ଗେ ଢେଙ୍କାନାଳ ଜିଲ୍ଲାର କମାକ୍ଷାନଗର ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରି କରିଥିଲେ । ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ହାତୀପଲ ଗ୍ରାମରେ ପ୍ରବେଶ କରି ଘର ଭାଙ୍ଗୁଥିବା ବେଳେ ସ୍ଥାନୀୟ ଲୋକେ ବିମଳା ଫରେଷ୍ଟ ବିଟର ବନ ବିଭାଗକୁ ଖବର ଦେଇଥିଲେ ସୁଦ୍ଧା ବନ ବିଭାଗ ସଠିକ୍ ସମୟରେ ଆସି ନଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ ଆଣୁଛନ୍ତି । ନିଜ ଦୋଷ ଦୁର୍ବଳତାକୁ ଘୋଡାଇବାକୁ ଯାଇ ବନ ବିଭାଗ କର୍ମଚାରୀ ସକାଳ ସମୟରେ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସେପଟେ ଶିଶୁର ଏହି ଅକାଳ ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗିପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.