ରୋଗାକ୍ରାନ୍ତ ୧୮ ମାସର ଶିଶୁ ପାଇଁ ୭ ଦିନରେ ମିଳିଲା ୧୮ କୋଟି ଟଙ୍କା ସହାୟତା, ଆଉ ଦାନ ନକରିବାକୁ ପରିବାରର ନିବେଦନ

Published By : Prameya-News7 Bureau | July 06, 2021 IST

କନ୍ନୁର ୦୬/ ୦୭ : ଏବେ ବି ବଞ୍ଚି ରହିଛି ମାନବିକତା । ନହେଲେ ଏତେ ବଡ ଦୁନିଆରେ କିଏ ବା କାହିଁକି ବିନା ସ୍ବାର୍ଥରେ କାହାକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୧୮ କୋଟି ଟଙ୍କାର କ୍ରାଉଡ୍‌ ଫଣ୍ଡିଂ ତାହା ପୁଣି ମାତ୍ର ୭ ଦିନରେ । ମାତ୍ର ୧୮ ମାସର ଶିଶୁକୁ ବଞ୍ଚାଇବା ପାଇଁ ବିଭିନ୍ନ ଆଡୁ ଛୁଟିଥିବା ସହାୟତା ଏବଂ ମାତ୍ର ୭ ଦିନରେ ସଂଗ୍ରହ ହୋଇଛି ୧୮ କୋଟି ଟଙ୍କା ।

ସୂଚନା ଅୁନଯାୟୀ, କେରଳ କନ୍ନୁର ଅଞ୍ଚଳର ମତ୍ତୁଲ ନିବାସୀ ପିକେ ରଫିକ୍‌ ଏବଂ ମାରିୟୁମ୍ମାଙ୍କ ୧୮ ମାସର ପୁଅ ମହମ୍ମଦ, ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି ନାମକ ଏକ ବିରଳ ଜେନେଟିକ୍ ବ୍ୟାଧିରେ ପୀଡିତ । ଏହି ରୋଗର ଚିକିତ୍ସା ପାଇଁ ବହୁତ ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହିଥିଲେ । କାରଣ ଚିକିତ୍ସା ପାଇଁ ଜୋଲଗେନ୍ସମା ନାମକ ଔଷଧ ଆବଶ୍ୟକ । ଯାହାକି ବିଶ୍ବର ଦାମୀ ଔଷଧମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ଏତେ ଗୁଡିଏ ଟଙ୍କା ଯୋଗାଡ କରିବାକୁ ଅସମର୍ଥତା ପ୍ରକାଶ କରିଥିଲେ ରଫିକ୍‌ ।

ଶିଶୁଟିକୁ ସୁସ୍ଥ କରିବା ପାଇଁ ସ୍ଥାନୀୟ ବିଧାୟକ ଏମ୍‌ ଭିଜିନ୍ ଅଣ୍ଟା ଭିଡିଥିଲେ । ମହମ୍ମଦର ଚିକିତ୍ସା ପାଇଁ କ୍ରାଉଡ୍‌ ଫଣ୍ଡିଂ ଜରିଆରେ କିଛି କିଛି ସାହାଯ୍ୟ କରିବା ପାଇଁ ଜନସାଧରଣଙ୍କୁ ଅପିଲ କରିଥିଲେ ବିଧାୟକ । ଏହା ପରେ ଆରମ୍ଭ ହୋଇଥିବା ସହଯୋଗ ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୮ କୋଟି ଟଙ୍କା ସହଯୋଗ ରୂପେ ଆସିସାରିଲାଣି । ତେବେ ଚିକିତ୍ସା ପାଇଁ
 ଆବଶ୍ୟକ ଟଙ୍କା ଯୋଗାଡ ହୋଇସାରିଥିବାରୁ ଜନସାଧାରଣଙ୍କୁ ଆଉ ଦାନ ନକରିବା ପାଇଁ ଆବେଦନ କରିଛନ୍ତି ବିଧାୟକ ।

ମହମ୍ମଦକୁ ଚିକିତ୍ସା କରୁଥିବା ଡାକ୍ତରୀ କମିଟି ରୋଗର ନିରାକରଣ ପାଇଁ ଆବଶ୍ୟକୀୟ ଔଷଧ ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଏକ ପିଟିସନ ଫାଇଲ କରିଛନ୍ତି । ଏହା ମହମ୍ମଦକୁ ୨ ବର୍ଷ ହେବା ପରେ ସେହି ମେଡିସିନ୍‌ ଦିଆଯିବ ବୋଲି ମେଡିକାଲ ଏକ୍ସପର୍ଟମାନେ କହିଛନ୍ତି । ଦୁର୍ଭାଗ୍ୟର କଥା ହେଉଛି ମହମ୍ମଦର ବଡ ଭଉଣୀ ୧୫ ବର୍ଷୀୟା ଆଫ୍ରା ମଧ୍ୟ ସମାନ ରୋଗରେ ପୀଡିତ । ସେ ହ୍ବିଲ ଚେୟାର ହିଁ ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.