ସମ୍ପତ୍ତି ପାଇଁ ଭାଇ ନେଲା ଭାଇର ଜୀବନ, ଥାନା ସମ୍ମୁଖରେ ମୃତଦେହ ରଖି ପରିବାର ଲୋକଙ୍କ ବିକ୍ଷୋଭ

Published By : Prameya-News7 Bureau | August 20, 2020 IST

ପୁରୀ ୨୦।୮: ସମ୍ପତ୍ତି ପାଇଁ ଭାଇ ନେଲା ଭାଇର ଜୀବନ । ଥାନା ସମ୍ମୁଖରେ ମୃତଦେହ ରଖି ପରିବାର ଲୋକ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁରୀ ସଦର ହନ୍ତୁକ ପଞ୍ଚାୟତ ବାଣିଆକେରରେ ଘଟିଛି ଏଭଳି ହତ୍ୟାକାଣ୍ଡ ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ସକାଳେ ବାଣିଆକେରା ଗ୍ରାମର କାଳୁଚରଣ ପ୍ରଧାନ ଚାଷ ଜମିକୁ ହଳ କରିବା ପାଇଁ ଯାଉଥିଲେ । ସେହି ସମୟରେ ବଡ ଭାଇ ଗଣେଶ ପ୍ରଧାନ ଓ ତାଙ୍କର କିଛି ସହଯୋଗୀ ମିଶି କାଳୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ କାଳୁ ଗୁରୁତ ହୋଇଥିଲେ । ଗୁରୁତର ଅବସ୍ଥାରେ କାଳୁଙ୍କୁ ପରିବାର ଲୋକେ ପ୍ରଥମେ ପୁରୀ ଓ ପରେ କଟକ ବଡମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ଗତକାଲି କାଳୁଙ୍କ ମୃତ୍ୟୁ ଘଟିଥିଲା ।

ଫଳରେ ମୃତ କାଳୁଙ୍କ ସ୍ତ୍ରୀ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣାର ୨ ଦିନ ପରେ ମଧ୍ୟ ଚନ୍ଦନପୁର ଥାନା ପୋଲିସ କାହାରିକୁ ଗିରଫ କରିନଥିବାରୁ ଗତକାଲି ସନ୍ଧ୍ୟାରେ କାଳୁଙ୍କ ସ୍ତ୍ରୀଙ୍କ ସହ ଶତାଧିକ ଲୋକେ ଚନ୍ଦନପୁର ଥାନା ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅପରାଧୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ।

ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଚନ୍ଦନପୁର ଥାନା ଆଇଆଇସି ବିକ୍ଷୋଭକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରିସ୍ଥିତି ଅଣାୟତ ହୋଇଥିଲା । ତେଣୁ ବାଧ୍ୟ ହୋଇ ପୋଲିସ ମୃଦୁ ଲାଠି ଚାଳନା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.