ଟୀକା ନେଇ ଶିଶୁ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଲେ ଗ୍ରାମବାସୀ

Published By : Prameya-News7 Bureau | October 25, 2021 IST

ଭଦ୍ରକ, ୨୫/୧୦: ପୋଲିଓ ଟୀକା ନେଇ ମୃତ୍ୟୁ ବରଣ କରିଥିବା ଶିଶୁର ପରିବାରକୁ କ୍ଷତି ପୂରଣ ସହିତ ସ୍ୱାସ୍ଥ୍ୟ କର୍ମୀଙ୍କ ବିରୋଧରେ ବିହିତ ପଦକ୍ଷେପ ନେବା ଦାବିରେ ଭଦ୍ରକ ଏସପି ଅଫିସ ସମୁଖରେ ଗଣ ଧାରଣା । ଅଶୀର୍ବାଦ ସଂଗଠନ ନେତୃତ୍ୱରେ ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନାଗୁଆ ଗ୍ରାମବାସୀଙ୍କ ଧାରଣା । ଏହି ଗ୍ରାମର ବିକାଶ ଜେନାଙ୍କ ଶିଶୁ ପୁତ୍ରର ଦେହ ଖରାପ ଥିବା ଜାଣି ମଧ୍ୟ ପୋଲିଓ ଟୀକା ନଗୁଆଁ ସ୍କୁଲରେ ସ୍ୱାସ୍ଥ୍ୟକର୍ମୀମାନେ ଗତ ୧୫ ତାରିଖ ଦିନ ଦେଇଥିଲେ । ତାଙ୍କ ବାପା ଓ ମା ଟୀକାକୁ ବିରୋଧ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ଶିଶୁଟିକୁ ଟୀକା ପ୍ରଦାନ କରିଥିଲେ ।

ତେବେ ଟୀକା ନେବା ପରେ ହଠାତ ଶିଶୁଟି ଅସୁସ୍ଥ ହୋଇ ପଡିବା ସହିତ ମୃତ୍ୟୁ ବରଣ କରିଥିଲା । ପରେ ଶିଶୁର ବାପା ଏ ସମ୍ପର୍କ ରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଓ ସ୍ଥାନୀୟ ପୋଲିସକୁ ଜଣାଇଥିଲେ । ଶେଷରେ ଆଜି ଆଶୀର୍ବାଦ ସଂଗଠନର ଅଧକ୍ଷା ମଞ୍ଜୁଲତା ସ୍ୱାଇଁଙ୍କ ନେତୃତ୍ୱରେ ଗ୍ରାମର ମହିଳା ମାନେ ଏହି ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଛନ୍ତି । ପରେ ଏସପି ସେମାନଙ୍କ ସହିତ ଆଲୋଚନା କରିବା ସହିତ ନିୟମ ଅନୁଯାଇ ତଦନ୍ତ କରାଯିବାକୁ କହିଥିବା କହିଛନ୍ତି ସଂଗଠନର ଅଧକ୍ଷା । ପରେ ଗ୍ରାମବାସୀ ମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ଦାବି କରିବା ସହ ଟୀକା ପ୍ରଦାନ କରିଥିବା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.