ଜୟପୁର ସଦର ଥାନା ହାଜତ ମୃତ୍ୟୁ ଘଟଣା : ନିରପେକ୍ଷ ତଦନ୍ତ ଦାବି କଲେ ମୃତକଙ୍କ ପରିବାର

Published By : Prameya-News7 Bureau | September 01, 2020 IST

ଜୟପୁର ୧।୯: ଜୟପୁର ସଦର ଥାନା ହାଜତ ମୃତ୍ୟୁ ଘଟଣାରେ ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି ମୃତ ଗୋପାଳ ରାମଙ୍କ ପରିବାର ଲୋକ। ମଙ୍ଗଳବାର ରାଜସ୍ଥାନରୁ ଆସି କୋରାପୁଟରେ ପହଞ୍ଚିବା ପରେ ପୋଲିସ ଓ ଟ୍ରକ୍ ମାଲିକ ବିରୋଧରେ ଷଡଯନ୍ତ୍ର କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ମୃତ ଗୋପାଳ ରାମର ମାନସିକ ସ୍ଥିତି ଭଲ ଥିଲା ଓ ସେ କେବେ ବି ଆତ୍ମହତ୍ୟା କରିନଥିବ ବୋଲି ସଂପର୍କୀୟ କହିଛନ୍ତି ।

୮ କ୍ବିଣ୍ଟାଲ ଗଂଜେଇ ଚୋରା ଚାଲାଣ କରୁଥିବା ବେଳେ ଗତ ୨୯ ତାରିଖ ରାତିରେ ଜୟପୁର ସଦର ପୋଲିସ ଟ୍ରକ୍ ସହ ଗୋପାଳ ରାମଙ୍କୁ ଅଟକ ରଖିଥିଲା । ହେଲେ ହାଜତ ଭିତରେ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ଏହି ଘଟଣାରେ ସେ ଦିନ ଥାନା ସେଣ୍ଟ୍ରି ଦାୟିତ୍ବରେ ଥିବା ଜଗବନ୍ଧୁ ମାଝୀ ଓ ଡିସିଓ ଦାୟିତ୍ଵରେ ଥିବା ଏଏସଆଇ ସପନ ସରକାରଙ୍କୁ ନିଲମ୍ବନ କରିଛନ୍ତି କୋରାପୁଟ ଏସପି । ସେହିପରି ଓଆଇସି ଆଦିତ୍ୟ ମହାକୁଡଙ୍କୁ କୋରାପୁଟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ଏହି ଘଟଣାର ବିଭାଗୀୟ ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଏସପି । ସେପଟେ ମୃତ ଗୋପାଳ ରାମଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସଂପର୍କୀୟ । ପରିବାର ଲୋକ କୋରାପୁଟରେ ପହଞ୍ଚିବା ପରେ ଗୋପାଳ ରାମଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.