ରାତିରେ ଶୋଇଥିଲେ, ସକାଳୁ କବାଟ ଖୋଲି ଦେଖିଲା ବେଳକୁ ବାରଣ୍ଡାରେ ଏକ ବିରାଟ କୁମ୍ଭୀର : ଆଉ ତା ପରେ…
9/12/2020 at 10:06 PM

ତିରୁବନନ୍ତପୁରମ ୦୯/୧୨ : କେରଳର ଆଥିରାପଲ୍ଲିର ଚଲାକୁଡି ନଦୀ ନିକଟରେ ରହୁଥିବା ଏକ ପରିବାର ବୁଧବାର ସକାଳେ ନିଜ ଘରର ବାରଣ୍ଡା ଉପରେ ଏକ କୁମ୍ଭୀରକୁ ଦେଖି ଭୟଭୀତ ହୋଇପଡିଥିଲେ । ଥାସିୟାଥ୍ ଶାଜନ ନାମକ ଜଣେ ବ୍ୟକ୍ତି ସକାଳ ପ୍ରାୟ ୫ଟା ସମୟରେ ଘରର କବାଟ ଖୋଲିବା କ୍ଷଣି ତାଙ୍କ ବାରଣ୍ଡାରେ ଏକ ବିଶାଳ କୁମ୍ଭୀର ଶୋଇଥିବା ଦେଖିଥିଲେ । ଏଥିରେ ଭୟଭୀତ ହୋଇ ସେ ଭିତରକୁ ଦୌଡିଯାଇ ପଡୋଶୀ ଏବଂ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ଡକାଇଥିଲେ ।
ସ୍ଥାନୀୟ ଲୋକଙ୍କ ଦ୍ବାରା ପ୍ରଥମେ କୁମ୍ଭୀରକୁ ଉଦ୍ଧାର ଆରମ୍ଭ ହୋଇଥିଲା । ସେମାନେ କୁମ୍ଭୀରଟିକୁ ପାଇପ୍ ସାହାଯ୍ୟରେ ଘରୁ ବାହାରକୁ ଚେଷ୍ଟା କରିଥିଲେ । କୁମ୍ଭୀରଟି ଧରାଛୁଆଁ ଦେଇନଥିଲା ବାରଣ୍ଡା ନିକଟରେ ଏକ ସୋଫା ତଳେ ପଶିଯାଇଥିଲା । ସ୍ଥାନୀୟ ଲୋକମାନେ ସେମାନଙ୍କ ଫୋନରେ ଭିଡିଓ ରେକର୍ଡି କରିବା ଆରମ୍ଭ କରିଦେଇଥିଲେ ।
ବନ ବିଭାଗ ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପ୍ରଚେଷ୍ଟା ପରେ କୁମ୍ଭୀରକୁ ଏକ ଦଉଡି ସାହାଯ୍ୟରେ ଉଦ୍ଧାର କରିଥିଲେ । ଏହା ପରେ ବନ ବିଭାଗ ଅଧିକାରୀମାନେ କୁମ୍ଭୀରଟିକୁ ଆଥିରାପିଲି ଜଳପ୍ରପାତ ନିକଟରେ ଥିବା ଚାଲାକୁଡି ନଦୀରେ ଛାଡିଥିଲେ । ଉକ୍ତ ନଦୀରେ କୁମ୍ଭୀର ବିପଦ ହେତୁ ବନ ବିଭାଗ ଅଧିକାରୀମାନେ ପର୍ଯ୍ୟଟକଙ୍କୁ ନଦୀରେ ନଗାଧୋଇବାକୁ ଚେତାବନୀ ଦେଇଛନ୍ତି ।
ରେଞ୍ଜ ବନ ଅଧିକାରୀ ଟି. ଅଜିକୁମାର କହିଛନ୍ତି, ଉଦ୍ଧାର ହୋଇଥିବା କୁମ୍ଭୀରର ଲମ୍ବ ପ୍ରାୟ ୨.୫ ରୁ ୩ ମିଟର ଥିଲା । ଉକ୍ତ ଘରଟି ନଦୀ ନିକଟରେ ଥିବାରୁ କୁମ୍ଭୀରଟି ଉଠିଆସିଥିବା ବନ ବିଭାଗ ଅଧିକାରୀ କହିଛନ୍ତି । ନିକଟ ଅତୀତରେ ପର୍ଯ୍ୟଟକମାନେ ମଧ୍ୟ ମୁଖ୍ୟ ରାସ୍ତାରେ ବିଶେଷ କରି ସନ୍ଧ୍ୟା ମସୟରେ କୁମ୍ଭୀର ଦେଖିଥିବା ସୂଚନା ଦେଇଛନ୍ତି ।