୩୫ବର୍ଷରେ ଶୁଆର ମୃତ୍ୟୁ, ହିନ୍ଦୁ ରୀତିନୀତିରେ ଶବ ସତ୍କାର କଲେ ପରିବାର
15/11/2019 at 9:36 AM

ଉମରକୋଟ ୧୫।୧୧: ଶୁଆର ଶବ ସତ୍କାର । ତାହା ବି ହିନ୍ଦୁ ରିତୀ ନିତିରେ ଶୁଣିବାକୁ ଟିକେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ ଏମିତି କିଛି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ।

ସ୍ଥାନୀୟ ଡିଏନକେ କଲୋନୀରେ ରହୁଥିବା ସ୍ବର୍ଗତ ଦାମୋଦର ନାୟକଙ୍କ ପରିବାର ୩୫ ବର୍ଷ ତଳେ ଅର୍ଥାତ୍ ୧୯୮୪ ମସିହା ଅକ୍ଟୋବର ୩୦ ତାରିଖ ଦିନ ଏହି ଶୁଆଟିକୁ ଛୋଟ ଅବସ୍ଥାରେ କିଣିଥିଲେ । ଆଉ ତାକୁ ଖୁଆଇ ପିଆଇ ପରିବାର ସଦସ୍ୟ ଭାବେ ପାଳି ଆସୁଥିଲେ। ଶୁଆଟି ପ୍ରତି ପରିବାରର ବେଶ ସ୍ନେହ ହୋଇଯାଇଥିଲା। ଶୁଆଟିର ନାଁ ପରିବାର ଲୋକ ଚୁମକି ବୋଲି ଦେଇଥିଲେ। ଆଉ ୩୫ ବର୍ଷ ବୟସରେ ଶୁଆଟିର ମୃତ୍ୟୁ ହୋଇଥିବା ବେଳେ ଚୁମକିର ମୃତ୍ୟୁକୁ ନେଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ।

ଶେଷରେ ପରିବାର ଲୋକ ହିନ୍ଦୁ ରୀତି ନିତିରେ ଚୁମକିର ଶବ ସତ୍କାର କରିଥିଲେ। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗୋଟିଏ ଶୁଆ ୩୫ ବର୍ଷ ବଂଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।