ପରିବାର ଲୋକଙ୍କ ଅଭିଯୋଗ: ଆମ ଝିଅକୁ ଜାଣିଶୁଣି ମାରି ଦେଲେ

Published By : Prameya-News7 Bureau | June 15, 2020 IST

ସୋର୧୫/୬: ଚିକିତ୍ସା ଅବହେଳାରୁ ଯୁବତୀଙ୍କ ମୃତ୍ୟୁ। ବାଲେଶ୍ବର ଜିଲ୍ଲା ସୋର ଥାନା ଉତ୍ତରେଶ୍ବର ଅଞ୍ଚଳରେ ଏକ ଘରୋଇ ନର୍ସିଂହୋମରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଏ ନେଇ ପରିବାର ଲୋକେ ନର୍ସିଂହୋମ୍‌ ସାମ୍ନାରେ ଧାରଣାରେ ବସିଛନ୍ତି। ନର୍ସିଂହୋମ ସମ୍ମୁଖରେ ମୃତ ଯୁବତୀଙ୍କ ଶବ ରଖି ପରିବାର ଲୋକେ ଧାରଣାରେ ବସିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ, ନର୍ସିଂହୋମ୍‌ର ଡାକ୍ତର ଜାଣିଶୁଣି ତାଙ୍କ ଝିଅକୁ ମାରି ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଆଙ୍ଗୁଳା ଗ୍ରାମର କୈଳାସ ମହାରଣାଙ୍କ ଝିଅ କୌଶଲ୍ୟ (୧୮) ଆପେଣ୍ଡିସ୍‌ସାଇଡ୍‌ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତେଣୁ ୧୬ନଂ ଜାତୀୟ ରାଜପଥ ନିକଟରେ ଥିବା ବାସନ୍ତି ଦୁର୍ଗା ନର୍ସିଂହୋମ୍‌ରେ ତାଙ୍କୁ ଗତ ଶୁକ୍ରବାରଦିନ  ଭର୍ତ୍ତି କରାଯାଇଥିଲା।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତକାଲି ସକାଳେ ଡାକ୍ତର ତାଙ୍କର ଅପରେସନ୍‌ କରିଥିଲେ। ମାତ୍ର ଯୁବତୀ ଜଣଙ୍କ ଚେତାଶୂନ୍ୟ ହୋଇଯାଇଥିଲେ।

ବିଳମ୍ବିତ ରାତିରେ ଚେତା ଫେରିବା ପରେ ତାଙ୍କର ପ୍ରବଳ ଯନ୍ତ୍ରଣା ହୋଇଥିଲା। ହେଲେ ଅଧିକ ଯନ୍ତ୍ରଣା ହେବାରୁ ନର୍ସିଂହୋମ୍‌ର କର୍ତ୍ତୃପକ୍ଷ  ଏକ ଇଞ୍ଜେକ୍ସନ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଣି ଆଜି ସକାଳେ ତାଙ୍କୁ ବାଲେଶ୍ବରକୁ ସ୍ଥାନାନ୍ତର କରିଥିଲେ। ବାଟରେ ଯୁବତୀଙ୍କ ମୃତ୍ୟୁ ହୋଇଯିବାରୁ ମୃତଦେହକୁ ନର୍ସିଂହୋମ୍‌ ସାମ୍ନାରେ ରଖି ପରିବାର ଲୋକ ଧାରଣାରେ ବସିଛନ୍ତି । ଏ ସଂପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.