ସାମୁହିକ ଆତ୍ମହତ୍ୟା: ଗୋଟିଏ ପରିବାରର ୪ଜଣ ଏକାଥରେ ଲଗାଇଲେ ଫାସୀ, ଋଣ ବୋଝ ସହିନପାରି ଆତ୍ମହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | September 19, 2020 IST

ଜୟପୁର ୧୯/୦୯ : ରାଜସ୍ଥାନ ରାଜଧାନୀ ଜୟପୁର କନୌତା ଥାନା ଅଞ୍ଚଳରେ ସାମୁହିକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ଜୟପୁର ଇତିହାସରେ ଏହିଭଳି ଘଟଣା ପ୍ରଥମଥର ଘଟିଛି । ଗୋଟିଏ ପରିବାର ୪ଜଣ ଏକସଙ୍ଗେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ମୁଣ୍ଡରେ ଋଣ ବୋଝ ଥିଲା । ପ୍ରତିଦିନ ଲୋକେ ତାଙ୍କୁ ଋଣ ଟଙ୍କା ମାଗିବାକୁ ଯାଉଥିଲେ । ଫଳରେ ପରିବାର ସଦସ୍ୟ ଚିନ୍ତିତ ହୋଇପଡିଥିଲେ । ମୃତକଙ୍କ ପରିବାରର ଗହଣା ବ୍ୟବସାୟ ଥିଲା । ଗତକାଲି ଅପରାହ୍ନ ସମୟରେ ତାଙ୍କ ଘରକୁ ଜଣେ ମହିଳା ଯାଇଥିଲେ । ମହିଳା ତାଙ୍କୁ ବାକି ଟଙ୍କା ମାଗିଥିଲେ ଓ ତାଙ୍କୁ ନାନା ଅପମାନ କରିଥିଲେ ବୋଲି ଜଣାପଡିଛି ।

{"id":331691,"sizeSlug":"large"}

ସୂଚନା ଅନୁଯାୟୀ, ମୃତକ ପରିବାର ମହିଳାଙ୍କୁ କହିଥିଲେ ଯେ ଘର ଓ ଦୋକାନ ବିକ୍ରି କରିବା ପରେ ତାଙ୍କ ଟଙ୍କା ତାଙ୍କୁ ଫେରସ୍ତ କରିଦେବେ । କିନ୍ତୁ ପରିବାରର ୪ ସଦସ୍ୟ ରାତିରେ ହିଁ ଫାସୀ ଲଗାଇ ଆତ୍ମହତ୍ୟା କରିଦେଇଥିଲେ । ଏମାନଙ୍କ ମଧ୍ୟରୁ ୩ଜଣ ହଲରେ ଓ ଜଣେ କୋଠରୀରେ ପଙ୍ଖାରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଦୁଇଜଣଙ୍କ ଗୋଡ ବନ୍ଧା ହୋଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏଫଏସଏଲ ଟିମକୁ ଘଟଣାସ୍ଥଳକୁ ଡକାଯାଇଛି | ତେବେ ମୃତକଙ୍କ ଘରୁ କୌଣସି ସୂଇସାଇଡ ନୋଟ ମିଳିନାହିଁ ।

ଜୟପୁର ଅତିରିକ୍ତ ଡିସିପି ମନୋଜ ଚୌଧୁରୀ କହିଛନ୍ତି ଯେ, କନୌତା ଥାନା ଅନ୍ତର୍ଗତ ଯାମରୋଲି ରାଧିକା ବିହାରରେ ଗୋଟିଏ ପରିବାରର ୪ଜଣଙ୍କ ଶବ ତାଙ୍କ ଘରୁ ଉଦ୍ଧାର ହୋଇଛି । ପ୍ରାଥମିକ ଯାଞ୍ଚରେ ଜଣାପଡିଛି  ଯେ ପରିବାର ଅଲବରରେ ରହୁଥିଲେ ଏବଂ ଗତ ୫ ବର୍ଷ ହେଲା ଜୟପୁରରେ ଗହଣା ତିଆରି କାମ କରୁଥିଲା । ତେବେ ଟଙ୍କା ଲେଣଦେଣ ଓ ଋଣ ବୋଝ ଯୋଗୁଁ ପରିବାର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଟିମ ମାମଲାର ତଦନ୍ତ ଜାରି ରଖିଛି । ମୃତକଙ୍କ ମଧ୍ୟରେ ପରିବାରର ମୁଖ୍ୟ (୪୫),ତାଙ୍କ ପତ୍ନୀ(୪୧), ଦୁଇ ପୁଅ(୨୩ ୨୦ ବର୍ଷୀୟ) ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.