ଖାଁ ଖାଁ ଲାଗୁଛି ପଞ୍ଚଲିଙ୍ଗେଶ୍ୱର ଶୈବପୀଠ, ମୁଖ୍ୟ ଫାଟକରେ ଝୁଲୁଛି ତାଲା, ଦୁର୍ଦ୍ଦିନରେ ୧୦୦ରୁ ଉର୍ଦ୍ଧ୍ୱ ବ୍ୟବସାୟୀଙ୍କ ପରିବାର

Published By : Prameya-News7 Bureau | September 20, 2020 IST

ନୀଳଗିରି,୨୦/୦୯:  କରୋନାର କରାଳ ରୂପ ପ୍ରତିଫଳିତ ହୋଇଛି ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱରରେ। ଆଜକୁ ୭ ମାସ ଧରି ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ବେଳେ ପୀଠ ତଳେ ୧୦୦ରୁ ଉର୍ଦ୍ଧ୍ଵ ବ୍ୟବସାୟୀଙ୍କ ପରିବାର ଦୁର୍ଦ୍ଦିନରେ ଗତି କରୁଥିବା ଜଣାପଡିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଠାରୁ ମାତ୍ର ୮ କିଲୋମିଟର ଦୂରରେ ଦେବଗିରି ପାହାଡ଼ରେ ବିରାଜମାନ ଅଛନ୍ତି ବାବା ପଞ୍ଚଲିଙ୍ଗେଶ୍ୱର ମହାଦେବ। ଝରଣା ଭିତରେ ଥିବା ପାଞ୍ଚଲିଙ୍ଗକୁ ପ୍ରତ୍ୟକ୍ଷ ଠାକୁର ଭାବେ ମାନିଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଙ୍କ ସୁଅ ଛୁଟିଥାଏ ରହି ଶୈବପୀଠ କୁ। ବାବାଙ୍କ ଆଶିଷ ଲାଭ କରିବା ସହିତ ପାହାଡ଼ ପର୍ବତ ଓ ଝରଣା ର ପ୍ରାକୃତିକ ଦୃଶ୍ୟ କୁ ବେଶ ମନଭରି ଉପଭୋଗ କରିଥାନ୍ତି।

ଦୈନନ୍ଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ପୀଠ ତଳେ ବ୍ୟବସାୟୀ ମାନେ ବେଶ ବେପାର ବଣିଜ କରି ନିଜର ପରିବାର ପୋଶନ୍ତି। ୧୦୦ରୁ ଉର୍ଦ୍ଧ୍ଵ ଦୋକାନୀ କିଏ ଫୁଲ ,ବେଲପାତ୍ର,ନଡିଆ କଦଳି ବିକ୍ରି କରିଥାନ୍ତି ତ ଆଉ କିଏ ପଥର ବାସନ ସହ ବିଭିନ୍ନ ମୂର୍ତି ବିକିଥାନ୍ତି। ଖାଲି ସେତିକି ନୁହଁ  ଚା ଦୋକାନ ଠାରୁ ଆରମ୍ଭ କରି ହୋଟେଲ, ଜଳଖିଆ ଦୋକାନ, ଭେରାଇଟି ଷ୍ଟୋର କରି ଚଳିଥାନ୍ତି। ହେଲେ ସମସ୍ତଙ୍କ ଦୋକାନ ବଜାର ବନ୍ଦ କରାଇଦେଇଛି ମହାମାରୀ କରୋନା।

ମାର୍ଚ୍ଚ ମାସ ଠାରୁ ଆଜି ପର୍ଯ୍ୟନ୍ତ ପୀଠର ମୁଖ୍ୟ ଫାଟକରେ କଟକଣା ପାଇଁ ତାଲା ଝୁଲାଇ ଦିଆଯାଇଛି। ପର୍ଯ୍ୟଟକଙ୍କ ଅନୁପସ୍ଥିତରେ ଏବେ ୧୦୦ରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କ ପରିବାର ଚଳିବା ପାଇଁ ସଂଘର୍ଷ କରୁଛନ୍ତି। ଏପରିକି ଚଳିତ ବର୍ଷ ଶ୍ରାବଣ ମାସର ସୋମବାରରେ କାଉଡ଼ିଆଙ୍କ ଜଳାଭିଷେକ ଧୋଇ ହୋଇଯାଇଛି। ପୂଜା କରି ପୂଜକ ନିଜର ପରିବାର ଚଳାଉ ଥିବାବେଳେ ଭକ୍ତଙ୍କ ବିନା ଏବେ ପରିବାର ଚଳାଇବା କଷ୍ଟକର ବ୍ୟାପାର ହୋଇଛି।

ବାବାଙ୍କ ନୀତିପୂଜା କରି କରୋନା ଭଳି ମହାମାରୀ ସଂସାରରୁ କିପରି ଲୋପ ପାଇବ ଏନେଇ ପୂଜକ ସର୍ବଦା ବାବାଙ୍କୁ ପୂଜାକରି ଜଳାଭିଷେକ କରୁଛନ୍ତି। ତେବେ କେବେ କରୋନା ଲୋପ ପାଇ ପୁଣି ଥରେ ଏହି ପ୍ରସିଦ୍ଧ ପୀଠ ଖୋଲାଯାଇ ସ୍ଵାଭାବିକ ପରିସ୍ଥିତି ଫେରିବ ଏନେଇ ଆଶା ବାନ୍ଧି ସମସ୍ତେ ଅନାଇ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.