କଉଡ଼ିଆ ଆଦର୍ଶ ପୋଖରୀ ନିର୍ମାଣରେ ଚଞ୍ଚକତା: ମନରେଗାରେ କାମ ନହୋଇ ମିଥ୍ୟା ବିଲ୍, ଉଠାଇ ନେଲେ ଅଢ଼େଇ ଲକ୍ଷ !

Published By : Prameya-News7 Bureau | May 29, 2021 IST

ସାନଖେମୁଣ୍ଡି ୨୮।୦୫ : ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ରୋଜଗାର ପ୍ରଦାନର ଗ୍ୟାରେଣ୍ଟି ସହ ଗ୍ରାମ୍ୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଲୋକଙ୍କୁ ଜବକାର୍ଡ଼ ମାଧ୍ୟମରେ ନିଜ ଗାଁରେ ହିଁ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ କରି କର୍ମ ନିଯୁକ୍ତି ପ୍ରଦାନ ପାଇଁ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। କରୋନା ସଂକ୍ରମଣ ସମୟରେ ମନରେଗାରେ ଶ୍ରମିକଙ୍କୁ କର୍ମଯୋଗାଣ ସହ ଅଧିକରୁ ଅଧିକ ଶ୍ରମଦିବସ ସୃଷ୍ଟି ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଛି। ତେବେ ସରକାର ଓ ଜିଲ୍ଲା ପ୍ରଶାସନ ମନରେଗା ପ୍ରକଳ୍ପରେ ଆଦୌ କାମ ନହୋଇ ଶ୍ରମିକ ମଜୁରୀ ଓ ମେସିନାରି କାର୍ଯ୍ୟ ହୋଇଥିବା ମିଥ୍ୟା ବିଲ୍ ଦର୍ଶାଇ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି।

ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ଦଣ୍ଡବନ୍ଧର ସୌନ୍ଦର୍ଯ୍ୟକରଣ ଓ ଆଦର୍ଶ ପୋଖରୀ ପ୍ରକଳ୍ପ ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା ବେଳେ ପୋଖରୀରୁ ଗୋଟିଏ ଟୋକେଇ ମାଟି ମଧ୍ୟ ବାହାରି ନାହିଁ କି ପଙ୍କବି ବାହାର କରାଯାଇନି।  ଗୋଟିଏ ଦିନ ମଧ୍ୟ ପୋଖରୀରେ ଶ୍ରମିକ ନିୟୋଜିତ ହୋଇ ନାହାନ୍ତି। ବାଲି ସିମେଣ୍ଟ ଗୋଡ଼ି ପଥର ମଧ୍ୟ ଲାଗି ନାହିଁ। କିନ୍ତୁ ଏହି ଆଦର୍ଶ ପୋଖରୀରେ ମାଟି କାମ ଓ ମେସିନାରୀ ସାମଗ୍ରୀ ପାଇଁ ବିଲ୍ ପୈଠ ହୋଇଛି।

ପୋଖରୀ ପୁନଃରୁଦ୍ଧାର ଆଦୌ ହୋଇନଥିବା ବେଳେ ଅନିୟମିତତା ଓ ଚଞ୍ଚକତାର ସହ ବିଲ୍ ପୈଠ ହୋଇଥିବା ଜଣା ପଡିବା ପରେ କଉଡ଼ିଆ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ଦଣ୍ଡବନ୍ଧ ଆଦର୍ଶ ପୋଖରୀ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ସହ କାର୍ଯ୍ୟାଦେଶ କୋଡ଼ ନଂ ୧୦୪୦୧୫୨୯ରେ କାର୍ଯ୍ୟାଦେଶ ମଞ୍ଜୁରୀ ହୋଇଥିଲା। ତେବେ ଏହି ପୋଖରୀରେ ଚଳିତ ବର୍ଷ ଗୋଟିଏ ଦିନ ମଧ୍ୟ ଶ୍ରମିକଙ୍କ ଦ୍ୱାରା କାର୍ଯ୍ୟହୋଇନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କୋଭିଡ ୧୯ ସମୟରେ ଜବକାର୍ଡ଼ଧାରୀ ଓ ନିର୍ମାଣ ଶ୍ରମିକ ମାନେ କର୍ମ ସନ୍ଧାନରେ ଥିବାବେଳେ ଏହି ପୋଖରୀରେ କାର୍ଯ୍ୟ ଆରମ୍ଭ ନହୋଇ କିଛି ଜବକାର୍ଡଧାରୀଙ୍କ ନାମରେ ଟଙ୍କା ଉଠାଯାଇଥିବାନେଇ ସଙ୍ଗୀନ ଅଭିଯୋଗ ହୋଇଛି। ଏପରିକି ଶ୍ରମିକ ମଜୁରୀ ନାଁରେ ୮୫ ହଜାର ଟଙ୍କା ହଡପ କରାଯାଇଛି।

ପୋଖରୀ ନିର୍ମାଣ ନିମନ୍ତେ ଆବଶ୍ୟକ ମେଟାଲ ପଥର ଆଦି ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ବିଲ କରି ଆତ୍ମସାତ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ୨୦୨୧ରେ ପୋଖରୀ ନିର୍ମାଣ ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କା ବିଲ ଉଠାଣ ହୋଇଥିବା ବେଳେ ମିଥ୍ୟା ବିଲ୍ ଅଭିଯୋଗକୁ ବିଡ଼ିଓ ଗାୟତ୍ରୀଦତ୍ତ ନାୟକ ଖଣ୍ଡନ କରିଛନ୍ତି ଓ ଡ୍ରେନ ନିର୍ମାଣହୋଇଥିବା ପ୍ରକାଶ କରିଛନ୍ତି। ନିର୍ବାହୀଯନ୍ତ୍ରୀ, ନିର୍ବାହୀ ଅଧିକାରୀ, ସରପଞ୍ଚଙ୍କ ଦୃଷ୍ଟିଗୋଚରରେ ଏଭଳି ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରି ଜିଲ୍ଲାପାଳ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପନିର୍ଦ୍ଧେଶକଙ୍କ ଠାରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.